ପ୍ରେମିକକୁ ମାରିଦେଲେ ପ୍ରେମିକାର ପରିବାର ଲୋକେ

କଳାହାଣ୍ଡି : ପ୍ରେମକୁ ନେଇ ହତ୍ୟାକାଣ୍ଡ। ପ୍ରେମିକକୁ ମାରିଦେଲେ ପ୍ରେମିକାର ପରିବାର ଲୋକେ। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ଖଲିଆକାନି ଗାଁର ବୈକୁଣ୍ଠ ମେହେରଙ୍କ ପୁଅ ଦିଲ୍ଲୀପ ପାଖ ଗାଁ ଗଇନ୍ଦିମୁଣ୍ଡାର ଜଣେ ଝିଅକୁ ଭଲ ପାଉଥିଲା। ୪ ବର୍ଷ ରହିଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। କିନ୍ତୁ ସବୁ ବିଗାଡି ଦେଲା ଯୁବତୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ। ବିବାହ ଠିକ ହେବାପରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହେଲା ତିକ୍ତତା। ଦିଲ୍ଲୀପ ପାଖରେ ରହିଥିବା ଯୁବତୀଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା। ଏ କଥା ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଏହାକୁ ନେଇ ଚିନ୍ତିତ ଥିଲେ।

ସୋମବାର ଦିଲ୍ଲୀପ ଯୁବତୀକୁ ଫୋନ କରି ସଂଧ୍ୟା ୭ଟା ୩୦ରେ ଗାଁ ପାଖ ସ୍କୁଲ ନିକଟରେ ଭେଟିବାକୁ କହିଥିଲା। ନିର୍ଦ୍ଦିଷ୍ଟ ସମୟରେ ବାଇକରେ ଜଣେ ସାଙ୍ଗକୁ ନେଇ ଦିଲ୍ଲୀପ ସେଠାରେ ପହଞ୍ଚିଥିଲା। ଯୁବତୀ ମଧ୍ୟ ସେଠାକୁ ଆସିଥିଲେ। ହେଲେ ଯୁବତୀ ଚିତ୍କାର କରି ପରିବାର ଲୋକଙ୍କୁ ଡାକିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପକୁ କାବୁ କରିବା ସହିତ ତଣ୍ଟି ଚିପି ମାରି ଦେଇଥିଲେ। ଦିଲୀପ ସାଙ୍ଗରେ ଯାଇଥିବା ସାଙ୍ଗ କୌଣସି ମତେ ସେଠାରୁ ଖସି ପଳାଇ ଆସି ଦିଲ୍ଲୀପର ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ।

ପରିବାର ଲୋକେ ତୁରନ୍ତ ଗଇନ୍ଦିମୁଣ୍ଡା ଗାଁକୁ ଯାଇ ଖୋଜାଖୋଜି କରିବା ପରେ ଦିଲ୍ଲୀପକୁ କ୍ଷତବିକ୍ଷତ ଅବସ୍ଥାରେ ସ୍କୁଲ ପାଖ ରାସ୍ତା କଡ଼ରେ ପଡିଥିବା ଦେଖିଥିଲେ। ସଙ୍ଗେସଙ୍ଗେ ତାକୁ ଧର୍ମଗଡ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଦିଲ୍ଲୀପଙ୍କ ପରିବାର ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଯୁବତୀଙ୍କ ସମେତ ବାପା, ମା’, ଓ ଭାଇକୁ ପୋଲିସ ଅଟକ ରଖି ଜେରା କରୁଛି। ଦିଲ୍ଲୀପଙ୍କ ସହ ଯାଇଥିବା ସାଙ୍ଗ ଲୋକନାଥ ନାଏକଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।