ପ୍ରେମିକାର ସାକ୍ଷାତ ପାଇଁ ଆସୁଛି ପ୍ରେମିକର ପ୍ରେତାତ୍ମା

ବିଜ୍ଞାନ ଯୁଗରେ ଭୁତ-ପ୍ରେତକୁ ବିଶ୍ଵାସ କରାଯାଏ ନାହିଁ। ଅନେକ ଏହାକୁ ଅନ୍ଧ ବିଶ୍ଵାସ କହୁଥିବା ବେଳେ ଆଉ କେତେକ କହନ୍ତି କାହାଣୀ। ମାତ୍ର ବିଜ୍ଞାନରେ ଏତେ ଆଗରେ ରହିଥିବା ଆମେରିକାରେ ଏହାକୁ ବିଶ୍ୱାସ କରାଯାଉଛି। ଅନ୍ଧାର ରାତିରେ ମିଆମିର ଅକ୍ସଫର୍ଡ ମିଲଫର୍ଡ ରୋଡ୍‌ ଭୌତିକକାଣ୍ଡକୁ ଲୋକେ ଏବେବି ସ୍ଵୀକାର କରୁଛନ୍ତି।

ଆମେରିକାର ମିଆମି ପ୍ରଦେଶରେ ମିଆମି ବିଶ୍ୱବିଦ୍ୟାଳୟ। ଉଚ୍ଚକୋଟୀର ଶିକ୍ଷାଦାନ ଓ ଗବେଷଣା ପାଇଁ ବିଶ୍ୱରେ ନାଁ କରିଛି। ଏହି ଅଞ୍ଚଳର ଓହିଓରେ ଥିବା ଅକ୍ସଫର୍ଡ ମିଲଫର୍ଡ ରୋଡ୍‌ରେ ଘଟୁଛି ଭୌତିକକାଣ୍ଡ। ସେଠାକାର ଲୋକେ ଏ ବିଷୟରେ ଜାଣନ୍ତି। ଅନ୍ଧାର ରାତିରେ ପ୍ରେମିକାର ସାକ୍ଷାତ ପାଇଁ ଆସୁଥିବା ପ୍ରେତାତ୍ମା କାହାର କିଛି କ୍ଷତି କରେ ନାହିଁ କିମ୍ବା ଡରାଏ ନାହିଁ। ତେଣୁ ଲୋକେ ରାତିର ପ୍ରେତାତ୍ମାକୁ ଦେଖୁଥିବା କହୁଥିଲେ ମଧ୍ୟ ଏହାକୁ ନେଇ ଏତେ ସିରିୟସ ନୁହଁନ୍ତି।

ଘଟଣାଟି ହେଲା ୧୯୪୦ ମସିହାରେ ମିଲଫର୍ଡ ରୋଡ୍‌ରେ ଅତି ଧନୀକ ବ୍ୟକ୍ତି ବସବାସ କରୁଥିଲେ। ସେହି ସମୟରେ ଆମେରିକାରେ କାର୍‌ ଓ ମଟର ସାଇକେଲ୍‌ ବ୍ୟବହାର କରାଯାଉଥିଲା। ଏହି ଧନୀକ ବ୍ୟକ୍ତିଙ୍କର ଗୋଟିଏ ସୁନ୍ଦରୀ ଝିଅ ଥିଲା। ଝିଅ ସହ ଜଣେ ଯୁବକର ଗଢି ଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ଯୁବକ ଜଣଙ୍କ ସମ୍ଭ୍ରାନ୍ତ ପରିବାରର ନଥିଲେ। ତାଙ୍କ ପାଖରେ କାର କିମ୍ବା ବିଳାସମୟ ବଙ୍ଗଳା ମଧ୍ୟ ନଥିଲା। ସେଥିପାଇଁ ସେ ମୋଟର ସାଇକେଲ୍‌ ଧରି ଯୁବତୀଙ୍କୁ ଦେଖା କରିବା ପାଇଁ ରାତିରେ ଆସୁଥିଲେ।

ବାପା-ମା’ ଶୋଇ ପଡିବା ପରେ ଯୁବତୀ ଜଣଙ୍କ ତାଙ୍କ କାର୍‌ର ହେଡ୍‌ ଲାଇଟ୍‌କୁ ୩ ଥର ଜଳାଇ ବନ୍ଦ କରି ଦେଉଥିଲେ। ଏହି ସଙ୍କେତ ପାଇଲା ପରେ ପ୍ରେମିକ ଯୁବକ ମୋଟର ସାଇକେଲ୍‌ ଧରି ସେହି ସ୍ଥାନରେ ପହଞ୍ଚୁଥିଲେ। ଏହା ପୂର୍ବରୁ ସେ ରାସ୍ତାର ଏକ ବୁଦା ପାର୍ଶ୍ୱରେ ଲୁଚି ରହୁଥିଲେ। ଯୁବତୀଙ୍କ ଘର ନିକଟ ରାସ୍ତାରେ ରହିଥିଲା ୟୁ ପରି ଏକ ବୁଲାଣି। ଥରେ ଜୋରରେ ଗାଡି ଚଳାଇ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ଯୁବକ। ମୋଟର ସାଇକେଲ୍‌ ଖସିଯାଇ ରାସ୍ତାର ଅନ୍ୟପଟେ ମାଡ ହୋଇଥିଲା। ସେ କଣ୍ଟା ଘେରାଯାଇଥିବା ବାଡରେ ଲାଖିଯାଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦୀର୍ଘଦିନ ପରେ ଯୁବକ ଜଣଙ୍କ ପ୍ରତି ରାତିରେ ପ୍ରେମିକା ଘର ପାଖକୁ ଆସୁଥିବା ଦେଖାଯାଉଛି।

ମିଆମି ବିଶ୍ୱବିଦ୍ୟାଳୟର ଛାତ୍ର ଥିବାବେଳେ ଏହି ଘଟଣା ବିଷୟରେ ଶୁଣିଥିଲେ ବର୍ଡ କଲ୍ପ। ସେ ତାଙ୍କ ଗର୍ଲ ଫ୍ରେଣ୍ଡଙ୍କୁ ବିବାହ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଦୁହେଁ ଦିନେ ରାତିରେ ସେହି ବଙ୍ଗଳା ନିକଟରେ ପହଞ୍ଚିଥିଲେ। ନିଜ କାରକୁ ବଙ୍ଗଳା ନିକଟରେ ରଖି କାରର ହେଡ୍‌ଲାଇଟ୍‌କୁ ତିନିଥର ଜଳାଇ ବନ୍ଦ କରିଦେଇଥିଲେ। ଏହାପରେ ତାଙ୍କୁ ଦୂରରୁ ଏକ ମୋଟର ସାଇକେଲ୍‌ର ଲାଇଟ୍‌ ଦେଖାଯାଇଥିଲା। ଲାଇଟ ନିକଟତର ହେବାରୁ ମିସେସ୍‌ କଲ୍ପ କିଏ ଜଣେ ବାଇକ୍‌ରେ ଆସୁଥିବା ଭାବି କାରର ହେଡ୍‌ଲାଇଟ୍‌ ଜଳାଇଥିଲେ। ହେଲେ ରାସ୍ତାରେ କାହାରିକୁ ଦେଖିବାକୁ ପାଇଲେନି। ମିସେସ୍‌ କଲ୍ପ ଓ ବର୍ଡ କଲ୍ପ କାର୍‌ରୁ ବାହାରି କିଏ ସେ ଅଞ୍ଚଳରେ ଖୋଜିଥିଲେ ମଧ୍ୟ କାହାକୁ ପାଇଲେନି। କିନ୍ତୁ ଦୁଇ ଜଣଙ୍କ ଯାକ ମୋଟର ସାଇକେଲ୍‌ ଦେଖିଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳର ଲୋକେ ଯାହା କହୁଛନ୍ତି ସେଥିରେ ସତ୍ୟତା ରହିଛି। ନିଜ ଆଖିରେ ଏହି ଘଟଣାକୁ ଦେଖିଥିବାରୁ ବର୍ଡ କଲ୍ପ ଓ ମିସେସ୍‌ କଲ୍ପ ଶପଥ କରି ଏ କଥା କହିଛନ୍ତି।

ମତାମତ ଦିଅନ୍ତୁ ।