ପୁଅ-ଝିଅକୁ ମାରି ଆତ୍ମହତ୍ୟା କଲା ବାପା

କୋରାପୁଟ : ପାରିବାରିକ କଳହରୁ ଅଭାବନୀୟ ଘଟଣା ଘଟିଛି। ପୁଅ ଓ ଝିଅକୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗି ମାରିବା ପରେ ଶେଷରେ ନିଜେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛି ବାପା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସିଙ୍ଗାରାମ ଷ୍ଟେସନରେ ଏମିତି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଆତ୍ମହତ୍ୟା କରିଥିବା ବାପା ହେଲେ କେଶବ ସୁବୁଦ୍ଧି। ମୃତ୍ୟୁବରଣ କରିଥିବା ୧୨ ବର୍ଷର ଝିଅ ଶ୍ରୀୟା ଓ ୭ ବର୍ଷର ପୁଅ ସିଦ୍ଧୁ। ଆଜି ସକାଳୁ ନିକଟସ୍ଥ ନଦୀକୁ ବୁଲାଇ ନେବା ବାହାନାରେ କେଶବ ପୁଅ-ଝିଅକୁ ସାଙ୍ଗରେ ଆଣିଥିଲା। ରେଳ ଷ୍ଟେସନରେ ପହଞ୍ଚି ପ୍ରଥମେ ଚଳନ୍ତା ମାଲ ଗାଡି ଆଗକୁ ୭ ବର୍ଷୀୟ ପୁଅକୁ ଫିଙ୍ଗି ହତ୍ୟା କରିଥିଲା। ଏହା ଦେଖିବା ପରେ ଝିଅ ଭୟରେ ଧାଇଁ ଥିଲେ ମଧ୍ୟ ସଇତାନ ବାପା ତାକୁ ଅନୁରୂପ ଭାବେ ହତ୍ୟା କରିବା ପରେ ନିଜେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛି।

ଦଶମନ୍ତପୁର ବ୍ଳକର ଚିକାମ ଗ୍ରାମରେ କେଶବଙ୍କ ଘର। ଦୀର୍ଘ ବର୍ଷ ହେବ ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ପୋଡାପାଡିରେ ରହି ଏକ ଘରୋଇ କମ୍ପାନୀରେ କାମ କରିବା ସହ ବ୍ୟବସାୟ କରୁଥିଲେ। ଘରେ ଦୁଇ ପିଲା ଓ ସ୍ତ୍ରୀଙ୍କ ସହ ବାପା ଓ ଭାଇ ରହୁଛନ୍ତି। ଆଲୋଚନା ହେଉଛି ପାରିବାରିକ କଳହରୁ କେଶବ ଏପରି ଚରମ ନିଷ୍ପତ୍ତି ନେଇଛି। କିନ୍ତୁ ପରିବାର ଲୋକେ ଏହାକୁ ଖଣ୍ଡନ କରୁଥିବା ବେଳେ ପ୍ରକୃତ କାରଣ ଜଣାପଡିନାହିଁ।

ମତାମତ ଦିଅନ୍ତୁ ।