ପୁଅର ପ୍ରେମ ସମ୍ପର୍କ ପାଇଁ ମା’କୁ ଭୁଜାଲି ମାଡ଼

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟପଡ଼ା ଗ୍ରାମରେ ମହିଳାଙ୍କୁ ଭୁଜାଲି ମାଡ। ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୁଅର ପରକିୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ଖବର ଅନୁଯାୟୀ ମହିଳା ଜଣଙ୍କ ଖୁଣ୍ଟପଡ଼ା ଗ୍ରାମର ସ୍ଵର୍ଗତ କୀର୍ତ୍ତନ ସାହୁଙ୍କ ପତ୍ନୀ ଲକ୍ଷ୍ମୀ ସାହୁ। ତାଙ୍କ ପୁଅର ସେହି ଗାଁ’ର ଜଣେ ବିବାହିତ ମହିଳାଙ୍କ ସହିତ ଅନୈତିକ ସଂପର୍କ ରହିଥିଲା। ସଂପୃକ୍ତ ମହିଳାଙ୍କ ସ୍ୱାମୀ ବାରମ୍ବାର ତାଗିଦ ମଧ୍ୟ କରିଥିଲେ ହେଁ ଲକ୍ଷ୍ମୀଙ୍କ ପୁଅ ଖାତିର କରିନଥିଲେ। ଏହି ଘଟଣାକୁ ନେଇ କିଛିଦିନ ତଳେ ଉଭୟ ପରିବାରରେ ବିବାଦ ସୃଷ୍ଟି ହୋଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ଥାନାରେ ଘଟଣାର ଆପୋଷ ବୁଝାମଣା ହୋଇଥିଲା।

ଏହାର କିଛି ଦିନ ପରେ ପୁଣି ପରକିୟା ପ୍ରୀତି ଆରମ୍ଭ ହୋଇଥିବା ଜାଣି ମହିଳାଙ୍କ ସ୍ଵାମୀ ଶନିବାର ରାତିରେ ଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ। ସେଠାରେ ପୁଅକୁ ନପାଇ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଲକ୍ଷ୍ମୀଙ୍କ ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button