ପୁଞ୍ଜିବାଦୀଙ୍କ ଜାଲରେ ଗଣତନ୍ତ୍ର

॥ ଗୋପାଳ ମହାପାତ୍ର ॥
ବ୍ରିଟିଶ ଲେବର ପାର୍ଟିର ଅଧ୍ୟକ୍ଷ ତଥା ମହାନ୍ ଅର୍ଥଶାସ୍ତ୍ରୀ ହେରାଲଡ଼ ଲାସ୍କି ଫାଶିବାଦର ବିଶ୍ଲେଷଣ କରି କହିଥିଲେ ଫାଶିବାଦର ଅସଲ ଉଦ୍ଦେଶ୍ୟ ହେଉଛି ଆର୍ଥୀକ ଶକ୍ତିର ଉପକରଣ ସବୁକୁ ମାଲିକମାନଙ୍କ ହିତରେ ଉଦାର ବିଚାର ଏବଂ ସଂସ୍ଥାମାନଙ୍କର ବିନାଶ କରାଯିବା। ଏହାଦ୍ୱାରା ପୁଞ୍ଜିବାଦ ଶସକ୍ତ ହୋଇପାରିବ। ଗଣତନ୍ତ୍ରର ବିପରିତ ହେଉଛି ଫାଶିବାଦ। କିନ୍ତୁ ବିଶ୍ୱର ଅନେକ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାର ଯେଭଳି ଭାବରେ ବଜାରରେ ଏକାଧିକାର ପାଇଁ ପୁଞ୍ଜିବାଦୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ସେଥିରୁ ଫାଶିବାଦୀ ପ୍ରବୃତ୍ତି ନୂଆ ରୁପରେ ଶସକ୍ତ ହୋଇ ଉଭା ହେଉଛି ।

ରୁଷରେ ଶାସନ ଗାଦିରେ ରହିବା ପାଇଁ ଭ୍ଲାଦିମିର ପୁଟିନ ପୁଞ୍ଜିପତିମାନଙ୍କୁ ରିହାତି ଦେଇଥିଲେ। ଏହାଫଳରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ଓ ସେମାନଙ୍କର ପୁଞ୍ଜି ମଧ୍ୟ ବୃଦ୍ଧି ପାଇ ପାରିବ । କିନ୍ତୁ ଏହାଦ୍ୱାରା ରୁଷରେ ଉଦାରବାଦର ଅନ୍ତ ହୋଇଗଲା । ରୁଷରେ ପୁଟିନଙ୍କର ଲୋକପ୍ରିୟତା। ଶୀର୍ଷରେ ରହିଛି କିନ୍ତୁ ଗଣତନ୍ତ୍ର ପ୍ରତି ତାଙ୍କ ଦୃଷ୍ଟିଭଙ୍ଗୀ ଯେ ସଂକୀର୍ଣ୍ଣ ସେ କଥା ମଧ୍ୟ ରୁଷ ଜନସାଧାରଣ ଜାଣନ୍ତି । ପୁଟିନ ଶାସନରେ ରହିବା ପାଇଁ ଏପରିକି ତାଙ୍କୁ କିପରି କେହି ପ୍ରତିଦ୍ୱନ୍ଦିତା କରିବେନି ସେଥିପାଇଁ ପ୍ରୟାସ କରିଛନ୍ତି । ବୈଦେଶିକ ନୀତି ଦୃଷ୍ଟିରୁ ରୁଷର ଜନସାଧାରଣ ତାଙ୍କୁ ଶସକ୍ତ ରୁଷର ନିର୍ମାତା ବୋଲି ଗ୍ରହଣ କରିନେଇଛନ୍ତି। ଏପରିକି ରୁଷର ଜନସାଧାରଣ ଭାବନ୍ତି ପୁଟିନଙ୍କ ନେତୃତ୍ୱ ହିଁ ବିଶ୍ୱରେ ରୁଷର ଗୌରବ ବୃଦ୍ଧି କରିଛି । ରୁଷର ଆର୍ଥୀକ ସ୍ଥିତି ଭଲ ନାହିଁ ଏବଂ ଚୀନ ଏବେ ରୁଷର ବଜାରକୁ ଏକ ପ୍ରକାରର କବ୍‌ଜା କରିରଖିଛି । ଏକଦା ବିଶ୍ୱକୁ ଆଖି ଦେଖାଉଥିବା ରୁଷକୁ ଆର୍ଥିକ ବ୍ୟବସ୍ଥା ପାଇଁ ଚୀନ ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଏହି ନିର୍ଭରଶୀଳ ହେବାର ବହୁ ମୂଲ୍ୟ ଦେବାକୁ ମଧ୍ୟ ପଡ଼ିଛି ରୁଷକୁ । କିଛି ଦଶନ୍ଧି ପୂର୍ବରୁ ଜମି ବିବାଦକୁ ନେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ରୁଷ ଏବେ ଚୀନ ଆଗରେ ନିଜର ସ୍ଥିତି ଜାହିର କରିବାରେ ଅକ୍ଷମ ହୋଇପଡ଼ିଛି । ଏହାର ଏକ ପ୍ରମୁଖ କାରଣ ହେଉଛି ରୁଷ ସରକାର ନିୟନ୍ତ୍ରିତ ଅର୍ଥ ବ୍ୟବସ୍ଥାକୁ ପୁଞ୍ଜିପତିଙ୍କ ହାତରେ ସମର୍ପି ଦେବା ।

୯୦ ଦଶନ୍ଧିରେ ସୋଭିଏତ ରୁଷର ବିଭାଜନ ପରେ ବୋରିସ୍ ୟେଲସ୍ତିନ୍ ରୁଷର ପ୍ରାକୃତିକ ସଂସାଧନ ଏବଂ ରାଜନୈତିକ ଶକ୍ତିକୁ କିଛି ବ୍ୟକ୍ତିବିଶେଷଙ୍କ ହାତରେ ସମର୍ପି ଦେଇଥିଲେ । ଏହାର ପ୍ରତିବଦଳରେ ତାଙ୍କୁ ଦ୍ୱୀତିୟ ଥର ପାଇଁ ରାଷ୍ଟ୍ରପତି ହେବାରେ ସହାୟତା ମିଳିଥିଲା । ଅର୍ଥାତ୍ ଏହି ମୁଷ୍ଟିମେୟ ବ୍ୟକ୍ତିବିଶେଷ ତାଙ୍କୁ ୨ୟ ଥର ରାଷ୍ଟ୍ରପତି ହେବାରେ ସହଯୋଗ ଓ ସମର୍ଥନ କରିଥିଲେ । ଏହି ପୁଞ୍ଜିପତିମାନେ ଗ୍ୟାସ୍ ଏବଂ ତୈଳ କମ୍ପାନୀଗୁଡ଼ିକ ବ୍ୟତିତ ମିଡ଼ିଆ କମ୍ପାନୀକୁ କ୍ରୟ କରି ଅରବ ଡଲାର ଲାଭ କଲେ । ୟେଲସ୍ତିନଙ୍କ ସମୟରେ ଏହି ପୁଞ୍ଜିପତିମାନଙ୍କର ପ୍ରଭାବ ରାଜନୈତିକ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇଲା । ଭ୍ଲାଦିମର ପୁଟିନ୍ ରାଷ୍ଟ୍ରପତି ହେବା ପରେ ସେ ପୁଞ୍ଜିପତିମାନଙ୍କୁ ନିୟନ୍ତ୍ରଣକୁ ଆଣିଥିଲେ। ପୁଟିନ୍ ଏବେ ଶାସନ ସହ ପୁଞ୍ଜିକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛନ୍ତି । କଥା ହେଉଛି ବିଶ୍ୱର କେତେକ ଗଣତାନ୍ତ୍ରିକ ଦେଶର ଶାସକ ରାଜନୈତିକ ଶକ୍ତିର ଉପଯୋଗ ଆର୍ଥିକ ଲାଭ ପାଇଁ କରିବାରେ ଲାଗିଛନ୍ତି। ଏହା ସେମାନଙ୍କୁ ଫାଶିବାଦର ନିକଟବର୍ତ୍ତୀ କରିଦେଇଛି । କୌଣସି ଗଣତାନ୍ତ୍ରିକ ଦେଶରେ ଯଦି ରାଜନୈତିକ ଶାସକ ଉତ୍ପାଦନ ତଥା ସାଧନର ମାଲିକାନା ଏବଂ ନିୟନ୍ତ୍ରଣକୁ ପୁଞ୍ଜିବାଦୀଙ୍କ ହାତରେ ସମର୍ପି ଦିଅନ୍ତି, ଶ୍ରମିକ ସଂଘକୁ ଚୁପ ରହିବାକୁ ବିବଶ କରିଦିଅନ୍ତି, ଅଭିବ୍ୟକ୍ତିର ସ୍ୱାଧିନତା ଉପରେ ଅଙ୍କୁଶ ଜାରି କରନ୍ତି ଏବଂ ସାମାଜିକ ସେବାକୁ ହ୍ରାସ କରିଦିଅନ୍ତି ତେବେ ସେଠାରେ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ଚାଲିଥିଲେ ମଧ୍ୟ ତାକୁ ଫାଶିବାଦ କୁହାଯିବ । ଗଣତାନ୍ତ୍ରିକ ପଦ୍ଧତି ଶାସନ ବ୍ୟବସ୍ଥାରେ ଏସବୁ କେବେ ସମ୍ଭବ ନୁହେଁ ।

ପୁଞ୍ଜିବାଦର ଲକ୍ଷ ହେଉଛି ଅଧିକ ଲାଭ କରିବା । କିନ୍ତୁ ଗଣତନ୍ତ୍ରର ଉଦ୍ଦେଶ୍ୟ ସବୁ ବର୍ଗର ଲୋକଙ୍କର ସର୍ବାଙ୍ଗୀନ ବିକାଶ ସହ ଜଡ଼ିତ । ପୁଞ୍ଜିବାଦ ବ୍ୟବସ୍ଥାରେ ଶ୍ରମିକଙ୍କ ସଂଖ୍ୟା ଓ ମଜୁରୀ ହ୍ରାସ, ଉଦ୍ୟୋଗର ସ୍ଥିତି ଖରାପ ହେଉଛି ବୋଲି ଦର୍ଶାଇବା ଏବଂ ପୁଞ୍ଜି ଉପରେ ଲାଗିବାକୁ ଥିବା ଟିକସ ହ୍ରାସକୁ ସମର୍ଥନ କରାଯାଇଥାଏ। କିନ୍ତୁ ସମାଜବାଦୀ ଗଣତନ୍ତ୍ରରେ ଶ୍ରମିକଙ୍କ ସଂଖ୍ୟା ଓ ମଜୁରୀ ବୃଦ୍ଧି, ଉଦ୍ୟୋଗର ପରିସ୍ଥିତିକୁ ସୁଧାରିବା ଏବଂ ସାମାଜିକ ସେବାଗୁଡ଼ିକର ବିସ୍ତାର କରାଯାଇଥାଏ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପଛୁଆ ଏବଂ ବିକାଶଶୀଳ ଦେଶଗୁଡ଼ିକର ଶାସକଙ୍କ ଆଗରେ କେମିତି ଲୋକଙ୍କର ସାମାଜିକ ଏବଂ ଆର୍ଥୀକ ଜୀବନର ବିକାଶ କରାଯିବ ସେ ସମସ୍ୟା ଦେଖାଦେଇଥିଲା । ଭାରତବର୍ଷ ସ୍ୱାଧିନ ହେବାପରେ ଦେଶର ତଥା ଜନସାଧାରଣଙ୍କର ସମାବେଶୀ ବିକାଶ ପାଇଁ ପଞ୍ଚବାର୍ଷିକ ଯୋଜନାର ଆରମ୍ଭ କରାଯାଇଥିଲା। ୧୯୭୧ରେ ବଙ୍ଗଳାଦେଶ ଏକ ସ୍ୱାଧିନ ଦେଶର ମାନ୍ୟତା ପାଇବା ପରେ ସେ ଦେଶକୁ ଏକ ଗରୀବ ଓ ପଛୁଆ ଦେଶ ବୋଲି କୁହାଯାଉଥିଲା । କିନ୍ତୁ ଗ୍ରାମାଞ୍ଚଳର ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଏବଂ ଛୋଟ ଛୋଟ ଉଦ୍ୟୋଗକୁ ସରକାରୀ ସହାୟତା କାରଣରୁ ବଙ୍ଗଳଳାଦେଶ ଏବେ ଆଉ ପଛୁଆ ହୋଇ ରହିନାହିଁ । ବଙ୍ଗଳାଦେଶ ଏବେ ଦୃତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥାରେ ପରିଣତ ହେଲାଣି । ଅନ୍ୟପକ୍ଷରେ ପାକିସ୍ତାନର ରାଜନୈତିକ ଶାସକମାନଙ୍କ ଭିତରେ ଏକାଧିକାର ଭାବନା କାରଣରୁ ପାକିସ୍ତାନ ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିନାହିଁ । ପାକିସ୍ତାନରେ ପୁଞ୍ଜିବାଦ ଏବଂ ସାମନ୍ତବାଦ ବ୍ୟବସ୍ଥା ବଢ଼ିବାରେ ଲାଗିଛି। ଦେଶ ଏବେ ଘରୋଇକରଣ ଜାଲରେ ଫସି ଚୀନର ନୂଆ ଉପନିବେଶ ହେବା ଦିଗରେ ଅଗ୍ରସର ହେଉଛି । ପାକିସ୍ତାନର ପୁଞ୍ଜିପତିମାନଙ୍କର ରାଜନୀତିରେ ଅଖଣ୍ଡ ପ୍ରଭାବ ରହିଛି । ସେମାନେ ଘରୋଇକରଣ ପାଇଁ ସରକାର ଉପରେ ଚାପ ପକାଉଛନ୍ତି। ଏପରିକି ବିକାଶର ସ୍ୱପ୍ନ ଦେଖାଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଆର୍ଜେଣ୍ଟିନାରେ ରେଳବାଇକୁ ଘରୋଇକରଣ କରାଯିବା ପରେ ସେ ଦେଶର ଅର୍ଥବ୍ୟବସ୍ଥା ଏକରକମ ଭୁଷୁଡ଼ି ପଡ଼ିଥିଲା । ବିକାଶ ଓ ଉଦାରୀକରଣ ନାମରେ ସରକାର ଯେଉଁ ରେଳବାଇକୁ ଘରୋଇକରଣ କରିଥିଲେ ତାକୁ ପୁଣି ନିୟନ୍ତ୍ରଣକୁ ଆଣିବାକୁ ବାଧ୍ୟ ହେଲେ । କିନ୍ତୁ ଦେଶର ଆର୍ଥିକ ଅବସ୍ଥା ସେତେବେଳକୁ ଧ୍ୱସ୍ତ ହୋଇଯାଇଥିଲା ।

ଏସବୁ ଉଦାହରଣରୁ ସ୍ପଷ୍ଟ ଯେ ଘରୋଇକରଣ ସେ ସବୁ ଦେଶରେ ସୁଫଳ ହୋଇପାରିବ ଯେଉଁଠି ସାମାଜିକ ଓ ଆର୍ଥୀକ ଅସମାନତାର ସ୍ତର ନିହାତି କମ୍ ଥିବ । ଶିକ୍ଷାର ସ୍ତର ବହୁ ଉର୍ଦ୍ଧ୍ୱରେ ଥିବ ତଥା ସେଠି ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ଥିବ । ମଧ୍ୟ ଏସିଆରେ ଅଶାନ୍ତି ଲାଗିରହିଥିବା ବେଳେ ଇସ୍ରାଇଲ ଭଳି ଦେଶ ନିଜର ସ୍ଥିତିକୁ ଆର୍ଥୀକ, ସାମରିକ ସ୍ତରରେ ଏଇଥିପାଇଁ ମଜଭୁତ କରିପାରିଛି। ସେଠି ରାଜନୈତିକ ଶାସକ କିଛି ଲୋକଙ୍କର ଭାଗିଦାରୀ ଅପେକ୍ଷା ସମସ୍ତଙ୍କ ଭାଗିଦାରୀକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହାର ଫଳ ମଧ୍ୟ ସେ ଦେଶ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇପାରିଛି। ଏହି ଦେଶ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି । ଅଧିକାଂଶ ବିକାଶଶୀଳ ଦେଶ ଏବଂ ଆର୍ଥିକ-ସାମାଜିକ ଅନଗ୍ରସର ଦେଶରେ ସାମାଜିକ ନ୍ୟାୟର ସ୍ଥିତି ଠିକ୍ ନାହିଁ । ଅସମାନତା ବୃଦ୍ଧି ସତ୍ତ୍ୱେ ଏସବୁ ଦେଶରେ ଘରୋଇକରଣ ପ୍ରକ୍ରିୟା କାରଣରୁ କିଛି ପୁଞ୍ଜିପତି ସେସବୁ ଦେଶର ବଜାରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ଦେଶରେ ଦାରିଦ୍ର‌୍ୟ ବେରୋଜଗାରୀ ବଢ଼ିବାରେ ଲାଗିଛି, ଯାହା ସେସବୁ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଛି । ମେକ୍ସିକୋର ବରବାଦ ହେବାର କାରଣ ମଧ୍ୟ ଏହିଭଳି । ବିକାଶର ଦୌଡ଼ରେ ସାମିଲ ହେବାପାଇଁ ତରବରିଆ ନିଷ୍ପତ୍ତି ନେଇ ସେ ଦେଶର ଶାସକ ଦେଶକୁ ପୁଞ୍ଜିବାଦୀ ଶକ୍ତିମାନଙ୍କ ହାତରେ ଟେକିଦେଇଥିଲେ । ଫଳରେ ବଡ଼ ବଡ଼ ନିବେଶକମାନେ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବାରେ ଲାଗିଲେ ।

ଭାରତ ବର୍ଷ ଭଳି ଗଣତାନ୍ତ୍ରିକ ଦେଶ ପାଇଁ ଏହିଭଳି ସ୍ଥିତି ବିପଦଜନକ ସାବ୍ୟସ୍ତ ହେବ ନିଶ୍ଚୟ । ବିକାଶ ନାମରେ ବୈଶ୍ୱିକରଣ (ଭୂମଣ୍ଡଳୀକରଣ) ଉଦାରୀକରଣ ଏବଂ ଘରୋଇକରଣ ନୀତିକୁ ପୁଞ୍ଜିବାଦୀ ଶକ୍ତିମାନେ ଯେଭଳି ଭାବରେ ସଂଗଠିତ ତଥା ସୁ ନିୟୋଜିତ ଭାବରେ ବିଶ୍ୱ ସମୁଦାୟ ଉପରେ ଲଦିଦେଲେ ଏହାର ଅନେକ ନକାରାତ୍ମକ ପ୍ରଭାବ ଏବେ ଦେଖିବାକୁ ମିଳିଲାଣି । ଏସବୁ ମଧ୍ୟରେ ଆଉ ଗୋଟିଏ କଥା ମଧ୍ୟ ସାମନାକୁ ଆସିଛି । ତାହାହେଉଛି ଆର୍ଥୀକ ଅସମାନତା ବଢ଼ିବା କାରଣରୁ ଅନେକ ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତି ବଢ଼ିବାରେ ଲାଗିଛି ଏପରିକି ରାଜନୈତିକ ଦଳମାନଙ୍କର ଅସ୍ତିତ୍ୱକୁ ନେଇ ସଙ୍କଟ ଦେଖାଦେବା କାରଣରୁ ଅରାଜକତା ସୃଷ୍ଟି କରୁଥିବା ଗୋଷ୍ଠୀମାନେ ଅଧିକ ସକ୍ରିୟ ହେଉଛନ୍ତି ଏବଂ ଜାତି, ଧର୍ମ ଏବଂ ଅଞ୍ଚଳବାଦକୁ ଅସ୍ତ୍ରରୂପେ ବ୍ୟବହାର କରାଯାଉଛି । ବିଶ୍ୱର ଅନେକ ଦେଶରେ ଏବେ ଆର୍ଥୀକ ଅସମାନତା କାରଣରୁ ଗୃହଯୁଦ୍ଧ ଭଳି ଅବସ୍ଥା ସୃଷ୍ଟି ହେଲାଣି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନ ତାଙ୍କ ଲିଖିତ ପୁସ୍ତକ “ଇଣ୍ଡିଆସ୍ ଇକୋନୋମି ଇନ୍ ଦି ନ୍ୟୁ ମିଲେନିୟମ୍‌” ରେ ଲେଖିଛନ୍ତି ଯେ ବିଶ୍ୱରେ ପୁଞ୍ଜିବଜାରର ଏକୀକରଣ ଯୋଗୁଁ ବଜାରରେ କୁଶଳତା ଆସିଛି କିନ୍ତୁ ବିକାଶଶୀଳ ଦେଶମାନଙ୍କ ଆଗରେ ଅଧିକ ବିପଦ ଏବଂ ସେସବୁ ଦେଶମାନଙ୍କର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ବିଗତ କିଛି ଦଶଦ୍ଧି ମଧ୍ୟରେ ବିଶ୍ୱର ଅନେକ ବିକାଶଶୀଳ ଏବଂ ଅନଗ୍ରସର ଦେଶ ସାର୍ବଜନିକ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ବିବଳ୍ପ ସମାଧାନ ଭାବେ ଉଦାରୀକରଣ ଏବଂ ଘରୋଇକରଣକୁ ଗ୍ରହଣ କରିନେଇଛନ୍ତି ଓ ଏହା ଭିତରେ ବିକାଶକୁ ଖୋଜୁଛନ୍ତି । ଏପରି କରିବା ଦ୍ୱାରା ସେମାନେ ସେମାନଙ୍କ ଦେଶର ଆଭ୍ୟନ୍ତରିଣ ସ୍ଥିତିର ଆକଳନ କରୁନାହାଁନ୍ତି ଫଳରେ ଏହାର ଭୟାବହ ପରିଣାମ ସେମାନଙ୍କୁ ଭୋଗିବାକୁ ପଡୁଛି ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।