ପୁଞ୍ଜିନିବେଶକଙ୍କ ପାଇଁ ସବୁ ଜିଲ୍ଲାରେ ଖୋଲିବ ‘ଦୀପା’

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଡିଷ୍ଟ୍ରିଟ୍ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଏଜେନ୍ସୀ ବା ଦୀପା। ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ସହ ଏହାକୁ ସୁବ୍ୟବସ୍ଥିତ କରିବାକୁ ଏହି ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥା ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଇପିକଲର ଏକ ସମ୍ପ୍ରସାରିତ ୟୁନିଟ୍ ଭଳି ‘ଦୀପା’ କାର୍ଯ୍ୟ କରିବ। ୨୦୨୧ ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ ଏହା ପ୍ରତିଷ୍ଠା ହେବ। ଜିଲ୍ଲାଗୁଡ଼ିକରେ ବୃହତ୍ ଶିଳ୍ପ ସଂସ୍ଥା ସମେତ ଏମଏସଏମଇ ଉଦ୍ୟୋଗ ସୃଷ୍ଟି ଦିଗରେ ଏକ ପାରଦର୍ଶୀ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ ବ୍ୟବସାୟିକ ପରିବେଶ ସୃଷ୍ଟି ସହିତ ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୃଷ୍ଟି ଦିଗରେ ଆଖିଦୃଶିଆ ପ୍ରୋତ୍ସାହନ ହୋଇପାରିବ। ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥାର କାର୍ଯ୍ୟଧାରାକୁ ରାଜ୍ୟସ୍ତରରେ ଥିବା ସିଙ୍ଗଲୱିଣ୍ଡୋ କର୍ତ୍ତୃପକ୍ଷ ତଦାରଖ କରି ନିବେଶକଙ୍କ ମତାମତକୁ ନେଇ ଜିଲ୍ଲାଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ର‌୍ୟାଙ୍କ ପ୍ରଦାନ କରାଯିବ।

ଦୀପାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ। ଏସପି, ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ଲାଇନ ଡିପାଟମେଣ୍ଟର ଅଧିକାରୀ ଭଳି ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠନ କରାଯିବ। ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା, ପ୍ରକଳ୍ପ ତଦାରଖ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାକୁ ଏକ ବୃତ୍ତିଗତ ଦଳ ରହିବେ। ନିବେଶକାରୀଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ସୁନିଶ୍ଚିତ କରିବା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସକାଶେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବା, ସଡ଼କ ଯୋଗାଯୋଗ, ବିଦ୍ୟୁତ ସେବା ଯୋଗାଣ ଓ ଜଳଯୋଗାଣ ପରି କାର୍ଯ୍ୟ କରିବ ଯାହା ଶିଳ୍ପାୟନ ଓ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଭୂମିକା ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମିର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button