ପୂର୍ବତନ ବିଜେପି ବିଧାୟକଙ୍କ ପତ୍ନୀ ଛାପୁଥିଲେ ନକଲି ନୋଟ

ଚାଇଁବସା : ନକଲି ନୋଟ ଛାପୁଥିଲେ ପୂର୍ବତନ ବିଜେପି ବିଧାୟକଙ୍କ ପତ୍ନୀ। ସ୍ଥାନୀୟ ଲୋକେ ତାଙ୍କୁ ପଚାରିବାରୁ ସେ ଛୁରୀରେ ଆକ୍ରମଣ କରିଥିବା ଚାଇଁବସାର ମୁଫ୍ସିଲ ଥାନାର ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ମହିଳାଙ୍କ ନାମ ମଲାୟା ହେମ୍ବ୍ରମ। ତାଙ୍କ ସ୍ୱାମୀ ପୁତକର ହେମ୍ବ୍ରମ ବିଜେପିର ଜଣେ ପୂର୍ବତନ ବିଧାୟକ। ଅଭିଯୁକ୍ତ ମହିଳା ପୁତକରଙ୍କର ଦ୍ୱିତୀୟ ପତ୍ନୀ। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ। ଦୋକାନୀମାନେ ଯେତେବେଳେ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ଜାଣିପାରିଲେ ଏହା ନକଲି ନୋଟ୍।

କପଡା ଦୋକାନଠାରୁ ଆରମ୍ଭ କରି ନେଇ ମାଛ ଦୋକାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଲାୟା ଦୁଇ ହଜାରର ନକଲି ନୋଟ୍ ଦେଇଥିଲେ। ଯେଉଁଦିନ ମଲାୟା ରାତିରେ ନକଲି ନୋଟ ଦେଇଥିବା ଦୋକାନକୁ ଜିନିଷ କିଣିବାକୁ ଯାଇଥିଲେ ଦୋକାନୀମାନେ ତାଙ୍କୁ ଘେରି ଯାଇଥିଲେ। ନକଲି ନୋଟ୍ ଫେରାଇ ଅସଲି ନୋଟ୍ ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ମଲାୟା ନୋଟ୍ ଫେରାଇବାକୁ ମନା କରିବାରୁ ବିବାଦ ଆରମ୍ଭ ହୋଇଥିଲା। ଝଗଡା ବଢିବାରୁ ମଲାୟା ପାଖରେ ରଖିଥିବା ଏକ ଛୁରୀରେ ୩ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସୂଚନା ପାଇ ମୁଫ୍ସିଲ ଥାନା ପୋଲିସ ସେଠାରେ ପହଂଚି ମଲାୟାକୁ ଥାନାକୁ ନେଇଥିଲେ।

ପୋଲିସ ଥାନାରେ ମଲାୟାଙ୍କ ସହ ଦୋକାନୀଙ୍କୁ ପଚରା ଉଚରା କରିବା ପରେ ରାତିରେ ମଲାୟାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଚଢଉ ସମୟରେ ନକଲି ନୋଟ୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ମାମଲାର ଖୋଳତାଡ ଚାଲିଛି। ଖୁବଶୀଘ୍ର ଘଟଣା ଲୋକଲୋଚନାକୁ ଆସିବ।

ମତାମତ ଦିଅନ୍ତୁ ।