ପୁରୀ ବେଳାଭୂମିକୁ ବ୍ଲୁ ଫାଗ୍‌ ମାନ୍ୟତା ପାଇଁ ସୁପାରିସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଦେଶର ୮ଟି ଭାରତୀୟ ବେଳାଭୂମିକୁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଛି। ଏଥିରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରାଯାଇଛି।

ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜମେଣ୍ଟ(ସିସକମ‌୍‍) ଓ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଏହି ଅଞ୍ଚଳକୁ ପାଇଲଟ୍‌ ବ୍ଲୁ ଫ୍ଲାଗ୍‌ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ବିମ୍ସ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ୱର୍ଣ୍ଣିମ ବେଳାଭୂମି ପୁରୀରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧା ଦେବା ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍ସ ଅଧୀନରେ ସିସକମ‌୍‍ ବିଗତ ଅଢ଼େଇ ବର୍ଷରେ ୮.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି।

ସେହିପରି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ୍‌ ଟାୱାରର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସି ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ। ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ଏହା ଆହୁରି ଅଧିକ ଆକୃଷ୍ଟ କରିବ।

ମତାମତ ଦିଅନ୍ତୁ ।