ପୁରୀ ଛଡ଼ା ଅନ୍ୟ କେଉଁଠି ରଥଯାତ୍ରା ହେବ ନାହିଁ

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ବର୍ଷ ରଥଯାତ୍ରା ଉପରେ ପୂର୍ବବର୍ଷ ପରି କଟକଣା ଜାରି କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ଶ୍ରୀ ଜେନା କହିଛନ୍ତି ଗତବର୍ଷ ଭଳି ଚଳିତ ବର୍ଷ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ। କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ। ଯେଉଁ ସେବାୟତମାନେ ଦୁଇ ଡୋଜ୍ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ।ଏଥର ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ। ପୁରୀକୁ ବସ୍ ଓ ଗାଡ଼ିମୋଟର ଚଳାଚଳ ଉପରେ ଲାଗିବ କଟକଣା।

ସେହିପରି ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ମଧ୍ୟ ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ। କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ। ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ। ଏହି ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପାରିବେ। ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ। ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *

Back to top button