ପୁରୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ପୁରୀ ପରିଦର୍ଶନରେ ଯାଇ ସ୍ୱର୍ଗଦ୍ୱାରର ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିସହ ଆଶ୍ରୟହୀନ ଗାଈଗୋରୁଙ୍କ ଲାଗି ଉଦ୍ଦିଷ୍ଟ ଗୋଶାଳା ଓ ବୁଲା ଭିକାରିଙ୍କ ଲାଗି ନିର୍ମିତ ଆଶ୍ରୟସ୍ଥଳୀକୁ ମଧ୍ୟ ସେ ବୁଲି ଦେଖିଛନ୍ତି।

ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ ଲାଗି ରାଜ୍ୟ ସରକାର ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ଆସନ୍ତା ମା‌ର୍ଚ୍ଚରେ ଶେଷ ହେବା ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ୫-ଟି ସଚିବ ପୁରୀ ଗସ୍ତରେ ଯାଇଥିଲେ। ବାତ୍ୟା ଫନି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାକୁ ଘୋଷଣା କରିଥିଲେ। ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ସେହି ଦିନଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ୱର୍ଗଦ୍ୱାରର ପୁନଃବିକାଶ ଏହାର ଏକ ଅଂଶ ବିଶେଷ। ଏହି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସ୍ୱର୍ଗଦ୍ୱାରକୁ ଶବସଂସ୍କାର କରିବାକୁ ଆସୁଥିବା ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଏକ ବିଶ୍ରାମଗୃହ ନିର୍ମାଣ କରାଯାଇଛି।

ସେହିପରି ବଡ଼ଦାଣ୍ଡକୁ ପରିଚ୍ଛନ୍ନ କରିବାକୁ ବୁଲୁଥିବା ପ୍ରାୟ ୭୦୦ ଗାଈଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ଆଉ ୪୦୦ ଗୋରୁଙ୍କୁ ସ୍ଥାନାନ୍ତରିତ କରାଯିବ। ବଡ଼ଦାଣ୍ଡର ଭିକାରିଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯାଇଛି। ୫୦୦ ଭିକାରିଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରାଯାଇ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ସେମାନଙ୍କ ପରିବାର ସହିତ ମିଳିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯାଉଛି ଏହି ସହାୟତା।

ଏହାବ୍ୟତୀତ ଶ୍ରୀ ପାଣ୍ଡିଆନ୍ ବାଙ୍କି ମୁହାଣ, ନିଳାଦ୍ରୀ ବେଳାଭୂମି ଓ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମି ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳ, ଭୁବନେଶ୍ଵର ମହାନଗର ନିଗମ ଓ କଟକ ମହାନଗର ନିଗମର କମିସନରମାନେ ଉପସ୍ଥିତ ଥିଲେ। ବିଏମସି ଓ ସିଏମସି ପୁରୀରୁ ବୁଲାଗୋରୁଙ୍କୁ ସ୍ଥାନାନ୍ତର କରି ନିଜ ଅଞ୍ଚଳର ଗୋଶାଳାରେ ଥଇଥାନ କରିବାର ଯୋଜନା ରହିଛି।

ମତାମତ ଦିଅନ୍ତୁ ।