ପୁରୁଣା ବିବାଦ ପାଇଁ ପ୍ରଦୀପଙ୍କ ଉପରେ ବର୍ଷିଲେ ତାରା

ଭୁବନେଶ୍ୱର : ଓଡିଶାରେ କଂଗ୍ରେସ ବିଶୃଙ୍ଖଳିତ। ନେତାମାନଙ୍କ ମଧ୍ୟରେ ସମନ୍ଵୟ ନାହିଁ। ଏ କଥା ପୁଣି ପ୍ରମାଣିତ କରିଛନ୍ତି ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି। ବିବାଦୀୟ ବୟାନ ପାଇଁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ସେ ଟାର୍ଗେଟ କରି ବର୍ଷିଛନ୍ତି। ଗାନ୍ଧୀ ପରିବାର ପ୍ରତି ସେ କରିଛନ୍ତି ନିଜର ଆନୁଗତ୍ୟ ୟପ୍ରଦର୍ଶନ। ତାରା ଏପରି କରିବା ପଛରେ ଭିନ୍ନ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି।

ବିବାଦରେ ରାଜସ୍ଥାନ ରାଜନୀତି। ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ୍ ପାଇଲଟଙ୍କ ମଧ୍ୟରେ ଚାଲିଛି କ୍ଷମତା ଲଢେଇ। ଗେହଲଟ ସ୍ଥିତିରକ୍ଷା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ସଚିନ୍ କ୍ଷମତାରୁ ହଟାଇବାକୁ ଷଢଯନ୍ତ୍ର କରୁଥିବା ଅଭିଯୋଗ ଉଠିଛି। ଅନ୍ୟପକ୍ଷରେ ସଚିନ ଓ ସମର୍ଥକ ବିଧାୟକଙ୍କ ସଭ୍ୟପଦ ରଦ୍ଦପାଇଁ ରାଜସ୍ଥାନ ବିଧାନସଭା ବାଚସ୍ପତି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି। ଏହି ମାମଲା ଏବେ କୋର୍ଟକୁ ଯାଇଛି। ହେଲେ ଏକ ଟିଭି କାର୍ଯ୍ୟକ୍ରମରେ ରାଜସ୍ଥାନ ପ୍ରସଙ୍ଗ ଉପରେ ବୟାନ ଦେଇ ବିବାଦକୁ ଆସିଛନ୍ତି କଂଗ୍ରେସ ନେତା ତଥା ନବରଂଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ।

ପ୍ରଦୀପ କହିଥିଲେ ତୁଷ୍ଟିକରଣ ରାଜନୀତି ନ ଛାଡ଼ିଲେ ଦଳ ଆଗକୁ ବିପର୍ଯ୍ୟୟର ସାମ୍ନା କରିବ। କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବନି। ବ୍ୟାକ୍‌ଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଉଚିତ୍‌ ନୁହେଁ। କଂଗ୍ରେସ ନେତୃତ୍ୱର ଭୁଲ ନିଷ୍ପତ୍ତି ଯୋଗୁ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଜାତୀୟସ୍ତରର ନେତା ଦଳ ଛାଡ଼ି ବିଜେପିରେ ମିଶିଲେ। ସମାନ ନିଷ୍ପତ୍ତି ଯୋଗୁ ସଚିନ ପାଇଲଟ୍ ଦଳଠାରୁ ମୁହଁ ଫେରାଇ ନେଉଛନ୍ତି। ଏଥିପାଇଁ କଂଗ୍ରେସ ଜାତୀୟ ନେତୃତ୍ୱଙ୍କ ତୁଷ୍ଟିକରଣ ଦାୟୀ। ଏହି ଭୁଲକୁ ସ୍ୱୀକାର କରିବାରେ କୌଣସି କୁଣ୍ଠା ନାହିଁ ବୋଲି ସେ ମତ ରଖିଥିଲେ।

  ଭିଜିଲାନ୍ସ ଜାଲରେ ଜିଆରଏସ୍‌

ପ୍ରଦୀପଙ୍କ ଏପରି ବୟାନ ତାଙ୍କୁ ବିବାଦକୁ ଟାଣିଛି। ଏହା ବିରୋଧରେ ଗର୍ଜିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ଚେତାଇ ଦେଇଛନ୍ତି ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଦଳରେ ବିଶୃଙ୍ଖଳା ବଢ଼ିବ। କେବଳ ସେତିକି ନୁହେଁ ତାରା କହିଛନ୍ତି ପ୍ରଦୀପଙ୍କୁ କଂଗ୍ରେସ ଜିଲ୍ଲା ପରିଷଦ ସଭାପତି, ସାଂସଦ, ରାଜ୍ୟ ଯୁବ କଂଗ୍ରେସ ସଭାପତି, ଆଦିବାସୀ ସେଲ୍‌ ସଭାପତି, କେନ୍ଦ୍ରରେ ଯୁବ କଂଗ୍ରେସର ଜେନେରାଲ ସେକ୍ରେଟାରୀ ପଦବୀ ଦେଇଛି। ଗାନ୍ଧୀ ପରିବାରଠୁ ଏତେ ସବୁ ପାଇବା ପରେ ସେହି ପରିବାର ଉପରେ ଆରୋପ ଲଗାଇବା ଦୁର୍ଭାଗ୍ୟଜନକ। ଯାହାର ଇଚ୍ଛା ଅଛି କଂଗ୍ରେସରେ ରହିବ, ନ ହେଲେ ଛାଡ଼ିବ ବୋଲି କହିଛନ୍ତି ତାରା।

ତାରାଙ୍କର ଏହି ଆକ୍ଷେପକୁ ନେଇ କଂଗ୍ରେସ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା। ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। କେତେକ କହୁଛନ୍ତି ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳରେ ସେଭଳି ପ୍ରତିକ୍ରିୟା ପ୍ରକାଶ ପାଇନି। ମାତ୍ର ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟମାନେ ଚୁପ ରହିଛନ୍ତି। କିନ୍ତୁ ତାରା ପ୍ରତିକ୍ରିୟାଶୀଳ ହେବାର କାରଣ ଭିନ୍ନ। ବ୍ୟକ୍ତିଗତ ବିବାଦକୁ ନେଇ ସେ ବିଶୋଦଗାର କରିଛନ୍ତି। କାହିଁକି ନା ୨୦୧୯ ନିର୍ବାଚନରେ ତାରା ଯାହା ଚାହୁଁଥିଲେ ତାହା କୁଆଡେ ପ୍ରଦୀପଙ୍କ ପାଇଁ ଭଣ୍ଡୁର ହୋଇଥିଲା। ସେହିଦିନ ଠାରୁ ଉଭୟଙ୍କ ମଧ୍ୟରେ ଲୋକଦେଖାଣିଆ ସମ୍ପର୍କ ରହିଛି। ଏବେ ଗାନ୍ଧୀ ପରିବାର ଉପରେ ପ୍ରଦୀପ ଯେଉଁ ବୟାନ ଦେଲେ ତାହା ତାରାଙ୍କୁ କହିବା ପାଇଁ ସୁଯୋଗ ସୃଷ୍ଟି କଲା ବୋଲି ସେମାନେ କହୁଛନ୍ତି। ହେଲେ ତାରା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତା’ ଉପରେ ଆଗକୁ କିଛି ହେଉଛି କି ନାହିଁ ଦେଖିବାକୁ ବାକି ରହିଲା।

ମତାମତ ଦିଅନ୍ତୁ ।