ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ : ପୁରୀ ମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପାଇଁ କରୋନା ଏସଓପି ଜାରି କରିଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ସଂକ୍ରମଣକୁ ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିବା ଏସଓପି ଅନୁଯାୟୀ ରବିବାର ବ୍ୟତୀତ ଅନ୍ୟ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରତି ରବିବାର ଦର୍ଶନ ବନ୍ଦ ରହିବା ସହ ମନ୍ଦିର ପରିସରକୁ ସାନିଟାଇଜ କରାଯିବ। ରାତି ସମୟରେ ଭକ୍ତ ଦର୍ଶନ ସାରି ଯିବାପରେ ସପ୍ତାହକୁ ଦୁଇଥର ମନ୍ଦିର ପରିସର ସାନିଟାଇଜ କରାଯିବ। ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ହେବ। ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ନିର୍ଦ୍ଦେଶାବଳୀକୁ ଅନୁକରଣ କରାଯିବ। ଏଥିସହ ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ ଅଣାଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।