ତରୁ ଆପାର୍ଟମେଣ୍ଟକୁ ସିଲ୍ କଲା ବିଏମ୍ସି

ଭୁବନେଶ୍ୱର ; ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଭୁବନେଶ୍ୱର ଟଙ୍କପାଣି ରୋଡ୍ରେ ଥିବା ତରୁ ଆପାର୍ଟମେଣ୍ଟକୁ ଆଜି ୧୦ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ ସିଲ୍ କରିଛି। ଏଠାରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ମନା। କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ମିଳିବ।
ସେହିପରି ପୂର୍ବରୁ ଏସ୍ବିଆଇ ମୁଖ୍ୟ ଶାଖା ଓ ଭିସାଲ୍ ମେଗାମାର୍ଟକୁ ସିଲ୍ କରାଯାଇଥିବା ବେଳେ ନୟାପଲ୍ଲୀ ଯୋଗାଣ ନିଗମ ଅଫିସକୁ ଗତକାଲି ସିଲ୍ କରାଯାଇଛି। ଅଫିସରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନିଆଯାଇଛି। ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ ପରିସରକୁ ସାନିଟାଇଜ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ସୋମବାର ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ହୋଇଛି।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରୁ ଆଜି ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ କ୍ୱାରେଣ୍ଟିନରେ ଥିବା ବେଳେ ଲୋକାଲ କେସ୍ ୮୦ ରହିଛି। ଲୋକାଲ୍ କେସ ଭିତରୁ ବାପୁଜୀ ନଗର, ବରମୁଣ୍ଡା, ଭୀମଟାଙ୍ଗି, ଭୋଇନଗର, ବିଜେପି ନଗର, ଚନ୍ଦ୍ରଶେଖରପୁର, ଫରେଷ୍ଟ ପାର୍କ, ଖଣ୍ଡଗିରି ବରି, ଖାରବେଳନଗର, ହଂସପାଳ, ଗଜପତି ନଗର, ଗାଡ଼କଣ, ପଳାଶୁଣୀ, ଶୈଳଶ୍ରୀ ବିହାର, କପିଳପ୍ରସାଦ, ସୌଭାଗ୍ୟ ନଗର, ଭିଏସ୍ଏସ୍ ନଗର, ପାହାଳ, ୟୁନିଟ୍-୬, ୟୁନିଟ୍-୪, ୟୁନିଟ୍-୩, ୟୁନିଟ୍-୧, ସୂର୍ଯ୍ୟନଗର, ୟୁନିଟ୍-୯, ୟୁନିଟ୍-୮, ୟୁନିଟ୍-୭ ଓ ପଳାସୁଣୀରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ବମିଖାଲରୁ ୨, ଟଙ୍କପାଣି ରୋଡ୍ରୁ ୨, ସୁନ୍ଦରପଦାରୁ ୨, ଲକ୍ଷ୍ମୀସାଗରରୁ ୩, ରସୁଲଗଡ଼ରୁ ୭, ଖଣ୍ଡଗିରିରୁ ୧୨, ନୟାପଲ୍ଲୀରୁ ୫, ଓଲ୍ଡ ଟାଉନ୍ରୁ ୬, ପଟିଆରୁ ୫, ସହିଦ ନଗରରୁ ୫ ଜଣ ଲେଖାଏଁ ଲୋକାଲ୍ କେସ ଅଛନ୍ତି। ଏହାଛଡ଼ା ଆଜି ୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।