ରଘୁନାଥପୁର ଓ ବିରିଡ଼ିରେ ବଢ଼ିଲା, ତିର୍ତ୍ତୋଲରେ କମିଲା ଭୋଟ୍

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀର ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ତର୍ଜମା। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି ପକ୍ଷରୁ ରଣନୀତିରେ କୌଣସି ପ୍ରକାର ହେଳା କରାଯାଇ ନ ଥିଲା। ବ୍ଲକ୍‌ ଦାୟିତ୍ଵରେ ଥିଲେ ଦଳର ବରିଷ୍ଠ ନେତା।

ତିର୍ତ୍ତୋଲ ବ୍ଲକ୍‌ ଦାୟିତ୍ଵ ତୁଲାଉଥିଲେ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ। ରଘୁନାଥପୁର ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ବିରିଡ଼ି ବ୍ଲକ୍ ଦାୟିତ୍ଵ ନେଇଥିଲେ ମନ୍ତ୍ରୀ ଅରୁଣ ସାହୁ। ଏହି ତିନି ନେତାମାନଙ୍କୁ ସହଯୋଗ କରିବା ପାଇଁ ବହୁ ସଂଖ୍ୟାରେ ଦଳୀୟ ବିଧାୟକ ଓ କର୍ମକର୍ତ୍ତା କ୍ୟାମ୍ପ୍ ପକାଇଥିଲେ। କିନ୍ତୁ ତିନିଟି ଯାକ ବ୍ଲକ୍‌ର ଫଳାଫଳ ଗତ ନିର୍ବାଚନର ପାଖାପାଖି ରହିଛି।

ତିର୍ତ୍ତୋଲ ବ୍ଲକ୍‌ରେ ଭୋଟ୍‌ ବ୍ୟବଧାନ ସାମାନ୍ୟ କମିଛି। ହେଲେ ବିରିଡ଼ି ଓ ରଘୁନାଥପୁରରେ ବିଜେଡିର ଭୋଟ୍‌ ବ୍ୟବଧାନ ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ରଘୁନାଥପୁର ବ୍ଲକ୍‌ରେ ବିଜେଡି ୭୧୮୧ ଭୋଟ୍‌ ଅଧିକ ପାଇଥିଲା। ଚଳିତ ଉପନିର୍ବାଚନରେ ତାହା ବୃଦ୍ଧି ପାଇ ହୋଇଛି ୭୪୦୦। ସେହିପରି ବିରିଡ଼ି ବ୍ଲକ୍‌ରେ ୨୦୧୯ ନିର୍ବାଚନରେ ବିଜେଡି ୧୩୧୯୭ ଭୋଟ୍‌ରେ ଆଗୁଆ ଥିଲା ବେଳେ ଏଥର ବୃଦ୍ଧି ପାଇ ୧୩୪୧୧ ‌ହୋଇଛି। ତେବେ‌ ତିର୍ତ୍ତୋଲ ବ୍ଲକ୍‌ରେ ଗତ ନିର୍ବାଚନରେ ବିଜେଡି ୨୦୦୯୯ ଭୋଟ୍‌ରେ ଆଗୁଆ ଥିଲା। ଏଥର କମିଛି। ଅର୍ଥାତ ବିଜେଡିକୁ ମିଳିଛି ୧୯୩୭୯ ଖଣ୍ଡ ଭୋଟ। ଗତ ଥର ବିଜେଡିକୁ ୧୯୩ ପୋଷ୍ଟାଲ୍‌ ଭୋଟ୍‌ ମିଳିଥିଲା ବେଳେ ଚଳିତ ଥର ଏହା ବୃଦ୍ଧି ପାଇ ୧୫୧୩ ହୋଇଛି।

ମତାମତ ଦିଅନ୍ତୁ ।