ରାଜଧାନୀରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବଢ଼ିଛି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବୃଦ୍ଧି ହୋଇଛି। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ପରେ ଆଜି ଏହି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।

ଶୁକ୍ରବାର ସେ କହିଛନ୍ତି ସର୍ଭେ ଅନୁସାରେ ଭୁବନେଶ୍ୱରର ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁଥିବାରୁ ଏହାର ସଂସ୍ପର୍ଶରେ ଆସିବା ଯୋଗୁ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ୫.୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ହୋଇଥିବା ୩ୟ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ୱାର୍ଡରୁ ୧୪୦୩ ସାମ୍ପଲ ନିଆଯାଇ ପରୀକ୍ଷା କରାଯାଇଥିଲା। ୫୫ ନମ୍ବର ୱାର୍ଡରୁ ସର୍ବନିମ୍ନ ୨୮ ପ୍ରତିଶତ ଓ ୧୬ରୁ ସର୍ବାଧିକ ୬୩ ପ୍ରତିଶତ ଆଣ୍ଟିବଡି ମିଳିଥିଲା।

ଡକ୍ଟର ପତି କହିଛନ୍ତି ୫ଟି ୱାର୍ଡରେ ଆଣ୍ଟିବଡ଼ି ବିକଶିତ ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ରହିଛି। ଆହୁରି ୫୦ ପ୍ରତିଶତ ଲୋକଙ୍କୁ ଛୁଇଁ ନଥିବାରୁ ସେମାନଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇନାହିଁ। ସେମାନେ ଏବେ ସମ୍ବେଦନଶୀଳ। ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ୱ ଓ ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ।

ମତାମତ ଦିଅନ୍ତୁ ।