ରାଜକନିକା: ଦୁର୍ଗାପୂଜାରେ ବାଜିବନି ମାଇକ୍‌ ଓ ବାଜା

ରାଜକନିକା : ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜା କୋଭିଡ୍ ନିୟମ ଅନୁଯାୟୀ ନିରାଡ଼ମ୍ବରେ ପାଳନ କରାଯିବ। ବାଜିବନି ମାଇକ୍‌ ଓ ବାଜା। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ବିଭିନ୍ନ ପୀଠରେ ଏହି ଆଧାରରେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଆଜି ରାଜକନିକାର ମା’ କନିକେଶ୍ଵରୀ ଦୁର୍ଗାଙ୍କ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରଶାସନିକ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଶୁକ୍ରବାର ରାଜକନିକା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ସଭାପତି ପ୍ରାଧ୍ୟାପକ ବୈକୁଣ୍ଠନାଥ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଦେଷ୍ଟାମଣ୍ତଳୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ବୈଠକରେ ରାଜକନିକା ବିଡିଓ ବିକ୍ରମ କିଶୋର ପରିଡ଼ା, କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିବେକାନନ୍ଦ ରାଉତ, ବ୍ଲକ ସହକାରୀ ନିର୍ବ‌ାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଦାଶ ଯୋଗଦେଇଥିଲେ। କୋଭିଡ୍ ନୀତି ନିୟମକୁ ଦୃଷ୍ଟିରେ ରଖି ପୂଜାରେ ଭକ୍ତମାନଙ୍କ ଭିଡ଼ ନ କରି ବ୍ୟାରିକେଡ୍ ମାଧ୍ୟମରେ ସାମାଜିକ ଦୂରତା ରକ୍ଷା କରି ମା’ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଓ ସାନିଟାଇଜେସନ୍, ମାସ୍କ ପରିଧାନ ଉପରେ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ଵ ଦେଇଥିଲେ।

ଆସନ୍ତା ୧୭ ତାରିଖରୁ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବ। ପୂଜା ସମୟରେ ପୀଠରେ ୭ରୁ ଅଧିକ ଲୋକ ନ ରହିବା, ଲାଇଟ୍, ମାଇକ୍, ବାଦ୍ୟଯନ୍ତ୍ର ଆଦି ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।