ରାଜସ୍ଥାନ କଂଗ୍ରେସରେ ହଲଚଲ୍‌: ଦିଲ୍ଲୀରେ ପାଇଲଟ୍

ଜୟପୁର : ରାଜସ୍ଥାନ କଂଗ୍ରେସରେ ଜୋରଦାର ହଲଚଲ୍ ଦେଖିବାକୁ ମିଳିଛି । ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ବଂଚାଇବାକୁ ଚେଷ୍ଟା ଚଳାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ ଡେରା ପକାଇଛନ୍ତି । ଗେହଲଟ୍ ଲଗାତାର ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଆରୋପ ଲଗାଉଥିବାବେଳେ ପାଇଲଟ ଜୟପୁରରୁ ଦୂରେଇ ରହିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ରାଜସ୍ଥାନରେ କ୍ୟାବିନେଟ ମିଟିଂ ଚାଲିଥିବାବେଳେ ପାଇଲଟ୍ ଉପସ୍ଥିତ ନ ଥିଲେ । କେବଳ ଏତିକି ନୁହେଁ ପାଇଲଟ୍‌ଙ୍କ ସହ କଂଗ୍ରେସର ୧୦ ବିଧାୟକ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଉଚ୍ଚଅଧିକାରୀଙ୍କୁ ଭେଟିବାକୁ ଜିଦ୍ ଧରି ବସିଛନ୍ତି । ସମସ୍ତ ବିଧାୟକ ଗୁରୁଗ୍ରାମ ଆଖପାଖରେ ରହିଥିବା ଜଣାପଡ଼ିଛି । କଂଗ୍ରେସ ବିଧାୟକ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି ।
ବର୍ତମାନ ପାଇଲଟ୍ ରାଜସ୍ଥାନ କଂଗ୍ରେସର ଅଧ୍ୟକ୍ଷ ଓ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୮ରେ ରାଜସ୍ଥାନରେ କଂଗ୍ରେସର ବିଜୟ ପରେ ଗେହଲଟ୍‌ଙ୍କ ସହ ପାଇଲଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିଲେ । ମାତ୍ର ତତ୍କାଳୀନ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲେ । ସେବେଠାରୁ ଦଳରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ନ ଥିବା ଶୁଣିବାକୁ ମିଳୁଥିବାବେଳେ ଏବେ ଏହା ଉଗ୍ର ରୂପ ନେଇଥିବା ଦେଖିବାକୁ ମିଳିଛି । ଦୁଇ ପକ୍ଷର କଳିରେ ତୃତୀୟ ପକ୍ଷର ଲାଭ ଭଳି ବିଜେପି ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି ।

ମତାମତ ଦିଅନ୍ତୁ ।