ରାଜସ୍ଥାନ ରାଜନୀତି: ଗେହଲଟ ପୁଣି ନିରାଶ

ଜୟପୁର : ରାଜସ୍ଥାନରେ ରାଜନୀତିକ ବିବାଦ ତୁଟୁନି। ଦିନକୁ ଦିନ ନେଉଛି ନୂଆ ମୋଡ। ଆଜି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିରାଶ କରିଛନ୍ତି ରାଜ୍ୟପାଳ କଲରାଜ ମିଶ୍ର। ବିଧାନସଭା ଅଧିବେଶନ ଡାକିବା ପାଇଁ ଗେହଲଟ ଦେଇଥିବା ପ୍ରସ୍ତାବମୁ ଖାରଜ କରିଦେଇଛନ୍ତି।

ଗେହଲଟ ସରକାର ଗତକାଲି ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ସଂଶୋଧିତ ପ୍ରସ୍ତାବରେ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ କହିଥିଲେ। ରାଜ୍ୟପାଳ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଅଧିବେଶନ ଡାକିବାକୁ ଅତିକମରେ ବିଧାୟକଙ୍କୁ ୨୧ ଦିନର ସମୟ ମିଳିବା ଦରକାର ଓ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟପାଳ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ ବିରୋଧ କରୁନାହାନ୍ତି। ରାଜ୍ୟପାଳ ଦେଇଥିବା ପ୍ରସ୍ତାବକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ଡାକିବାକୁ ରାଜଭବନ ପକ୍ଷରୁ ପୂର୍ବରୁ ଅନୁମତି ଦିଆଯାଇ ସାରିଛି। ମୁଖ୍ୟମନ୍ତ୍ରୀ ଯଦି ଆସ୍ଥା ଭୋଟ ଚାହୁଁଛନ୍ତି, ତା’ହେଲେ ବିଧାୟକମାନଙ୍କୁ ୨୧ ଦିନର ନୋଟିସ୍‌ ପଠାଇ ଗୃହ କାର୍ଯ୍ୟରେ ଯୋଗଦେବାକୁ କହିପାରିବେ। ଏହାପରେ ଗେହଲଟ ପୁଣି ରାଜ୍ୟପାଳ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ଆଉ କହିଛନ୍ତି ସେ କ’ଣ ଚାହୁଁଛନ୍ତି ମୁଁ ତାଙ୍କୁ ଭେଟି ସେ ବିଷୟରେ ପଚାରିବି। ସେ ୨୧ ଦିନ କିମ୍ବା ୩୧ ଦିନର ନୋଟିସ୍‌ କଥା କହିଲେ ଆମେ ନିଶ୍ଚିତ ବିଜୟୀ ହେବୁ ବୋଲି ଗେହଲଟ କହିଛନ୍ତି।

ମତାମତ ଦିଅନ୍ତୁ ।