ରାଜିନାମାର ରାଜନୀତି

॥ ମାୟାଧର ନାୟକ ॥ ମୁକ୍ତିସଂଗ୍ରାମର ପ୍ରଶ୍ନୋତ୍ତର ପର୍ଯ୍ୟାୟ ପରବର୍ତ୍ତୀ ଏକ ମହାସଂଗ୍ରାମ- ଯାହାର ଅସଲ ମଇଦାନ ମାଟିରୁଘାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଜୀବନସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ ଦାସତ୍ୱରୁ ନିଷ୍ପୃତି ମଧ୍ୟ। ବଂଚିବାର ସର୍ବନିମ୍ନ ଅଧିକାର ଛଡାଇ ନେଉଥିବା ଶୋଷକ ଶାସନତନ୍ତ୍ର ବିରୋଧରେ ବଂଚିତ ଓ ପ୍ରବଚିଂତ ଜନସାଧାରଣଙ୍କର ଏହାହେବ ମରଣପଣ ମହାଯୁଦ୍ଧ। ଶିକାରୀ ଶାସକମାନଙ୍କ କଲମୀକୁଂଜ ବାହାରେ ଆମ ଜନତା ଓ ଜନଜାତି ଦଳଦଳ ଘୃଣିତ ଭିକାରି ନୁହନ୍ତି ଯେ ଶେଷଯାଏଁ କେବଳ ମୁଣ୍ଡରେ ହାତଦେଇ କାନ୍ଦୁଥିବେ। ଦେଶବାସୀଙ୍କ ଦୁଃଖଦୁର୍ଗତ ପ୍ରତିବ୍ୟଙ୍ଗ କରି ରାଜନୈତିକ ବ୍ୟବସାୟ ବିସ୍ତାର ପାଇଁ ଏଭଳି ଅମାନୁଷିକ ଅଧିକାର ଏ ରାଜନେତାମାନଙ୍କର ଆସିଲା କେଉଁଠୁ ? ଗତକାଲି ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ବିଦେଶୀ ଶାସକବାହିନୀ ବିରୋଧରେ, ଆସନ୍ତାକାଲି କିନ୍ତୁ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟିରେ ମାଟିରେ ନିଆଁ ଜଳିବ ଦେଶୀ ଶାସନତନ୍ତ୍ରର ଅବିଚାରିତ ଅଭ୍ୟସ୍ତତାକୁ ମୂଳପୋଛ କରିବାକୁ।

ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟି କାନ୍ଦୁଚି, ମାଟି ବାହୁନୁଚି। ମାଳମାଳ ମଫସଲ, ଗରିବଗୁରୁବାର ଗାଆଁଗଣ୍ଡା, ଅଭେକା ଆଦିବାସୀ ଅନ୍ଧାରି ମୂଲକରେ ମଣିଷ ପୋକମାଛି ପରିଜୀବନ ବଂଚୁଥିଲା ବେଳେ ଆଜି ନେତାମାନଙ୍କ ଭାରତବର୍ଷ ଶିଳ୍ପପତି ଶ୍ରେଣୀ ଦ୍ୱାରା ନ୍ୟସ୍ତ ଓ ନିର୍ମିତ ମାର୍କାମରା ମହାନଗରମାନଙ୍କରେ ବିଳାସବ୍ୟସନରେ ଉବୁଟୁବୁ। ଏବେ ସବୁଠୁଭୟଙ୍କର ଷଡଯନ୍ତ୍ର ସୃଷ୍ଟି ହୋଇସାରିଛି ଜନସାଧାରଣଙ୍କ ଜୀବନ ସଂଗ୍ରାମକୁ ମୃତ୍ୟୁ ମୁହଁକୁ ପଠାଇଦେବା ପାଇଁ। ଆମେ ଏ ଷଡଯନ୍ତ୍ରର ନାଆଁ ଦେବା– ମେସିନ୍‌ମାଫିଆ ! ମେସିନ୍‌ମାଫିଆ ? ହଁ, ଆଜି ଆଉ ପ୍ରତ୍ୟକ୍ଷଭାବରେ ଦେଶୀ ଶାସନର ସେନାପତିମାନେ ଆମ ଭୋଟ୍‌ବୁଥ୍ ଦଖଲଠୁ ଆରମ୍ଭ କରି ଆମକୁ ଆମ ଭିଟାମାଟିରୁ ବେଦଖଲ କରିବାର ଷଡଯନ୍ତ୍ରରେ ଯେଉଁ ମାଫିଆବାହିନୀକୁ ଜାଗତିଆରକରି ରଖିଥିଲେ, ସେ ଧାରା ଏବେ ଦ୍ରୁତ ବଦଳିବାକୁ ଯାଉଛି। ଆଜି ମେସିନ୍‌ହିଁ ନେବାକୁ ଯାଉଛି ନକାରାତ୍ମକ ଅପଶକ୍ତି ମାଫିଆର ଭୂମିକା।

ବିଦେଶରୁ ବହୁ କିସମର ମେସିନ୍ ପଶିଆସୁଚି ଦେଶ ଭିତରକୁ। ଯେଉଁଠି ମେସିନ୍‌ ମଣିଷର ବଂଚିବାର ଯୁଦ୍ଧରେ ସୈନ୍ୟର ଭୂମିକା ନେଇଥାଏ, ସେଠି ଏ ମେସିନ୍ ଆମର ‘ମେସିହା’ (messiah) ବା ଦେବଦୂତ, ମାତ୍ର ଯେଉଁଠି ଲକ୍ଷଲକ୍ଷ ମଣିଷଙ୍କୁ ନିକିମା କରିଦେଇ ମେସିନ୍‌ ମୁନାଫାଖୋର୍‌ ମାଲିକର ହାତବାରିସି ସାଜିବାରଭୂମିକା ନିର୍ବାହ କରେ, ସେଠି ତାହା ମାଫିଆ । ଆଜିମେସିନ୍‌ ମାଫିଆ ପଶିଆସିଲାଣି ଆଦିବାସୀ ଇଲାକାକୁ ମଧ୍ୟ। ହାତକୁ ହରାଇ ଦେଇ ହତିଆରକୁ ଜିତାଇବାର ଜିଦ୍ ହେଉଛି ଏ ମେସିନ୍‌ ମାଫିଆର ମତଲବ। ଜୀବନ ସଂଗ୍ରାମର ସ୍ୱାଧୀନତା-ଯୋଦ୍ଧାମାନେ ଏ ମେସିନ୍‌ ମାଫିଆର ମତଲବକୁ ମୂଳପୋଛ ନକଲେ ନିଜେ ନିଶ୍ଚିହ୍ନ ହେବାକୁ ମଧ୍ୟ।

ବର୍ତ୍ତମାନ କୃଷିକ୍ଷେତ୍ରକୁ କବରଖାନାରେ ପରିଣତ କରି ଶିଳ୍ପକ୍ଷେତ୍ରର ଯେଉଁ ନବ୍ୟ ସାମ୍ରାଜ୍ୟବାଦ ବିସ୍ତାରିତ ହେବାରେ ଲାଗିଛି, ତାହା ଆମ ସମସ୍ତଙ୍କୁ ଦିନେ ଏକ ବିସ୍ଥାପିତ ବର୍ଗରେ ପରିଣତ କରିଦେବ – ଏଥିରେ ତିଳାର୍ଦ୍ଧ ସନ୍ଦେହ ନାହିଁ। ଶାସନ, ପ୍ରଶାସନ ଓ ଶିଳ୍ପାୟତ ବ୍ୟବସ୍ଥାର ତ୍ରିଶକ୍ତି ମେଂଟରେ ଜନତା ଆଜି ତ୍ରିଶଙ୍କୁ। ତାର ନା ସ୍ୱର୍ଗ ଅଛି ନା ମର୍ତ୍ୟ ? କେବଳ ପାତାଳ। ଏଇ ପାତାଳର ପ୍ରାଚୁର୍ଯ୍ୟ ପ୍ରତି ମଧ୍ୟ ନଜର ପଡିଛି ପରାଙ୍ଗପୁଷ୍ଟ ମାଲିକଶ୍ରେଣୀର। ଯଦି କୃଷିକ୍ଷେତ୍ରର ପୁନରୁଦ୍ଧାର ପାଇଁ ପ୍ରସ୍ତୁତିପର୍ବ ପୁଣି ଆରମ୍ଭ ନହୁଏ, ତା’ହେଲେ ଶିଳ୍ପ କ୍ଷେତ୍ରର ଏ ବିସ୍ତାର ଦିନେ ଶେଷ କରିଦେବ ମାମୁଲି ମଣିଷମାନଙ୍କର ଅସ୍ତିତ୍ୱ।

ଜୀବନ ସଂଗ୍ରାମର ସ୍ୱାଧୀନତା – ଏହି ଦୃଷ୍ଟିରୁ ଆଜିର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଏ ଜୀବନ ସଂଗ୍ରାମର ସ୍ୱାଧୀନତା ପ୍ରତିବିପଦ ଭିଆଇବାର ଅଭିସନ୍ଧିଏବେ ସବୁଠି ଆମେ ଅଙ୍ଗେ ନିଭାଇଛୁ। ୪୦ବର୍ଷ ତଳୁ ବିଦେଶରୁ ଆମଦାନି ହୋଇଥିବା ଗହମବସ୍ତା ଭିତରେ ଆମ ଦେଶକୁ ଚାଲିଆସିଥିଲା ବିଷାକ୍ତ ଘାସମଂଜି ! ଏହା ଅଜାଣତରେ ଆସିନଥିଲା, ଆସିଥିଲା ଏ ଦେଶର ଉର୍ବର ଫସଲ କ୍ଷେତଗୁଡାକୁ ବାଂଝବଂଜର ଭୂଇଁରେ ପରିଣତ କରିବାର ଦୁରଭିସନ୍ଧି ଯୋଗୁଁ । ତା’ଛଡା ଏ ଦେଶର ଅର୍ଥନୀତିକୁ କୃଷକ ବିରୋଧୀ ଅର୍ଥନୀତିରେ ବଦଳାଇଦେବାର ବିଦେଶୀ ପ୍ରଭାବକୁ ସେତେବେଳେ କେହି ଚିହ୍ନଟ କରିପାରିନଥିବା ହେତୁ କୃଷକମାନଙ୍କୁ ଚକ୍ରବୃଦ୍ଧି ସୁଧ ସହ ଯେଉଁ କୃଷିଋଣ ପ୍ରବର୍ତ୍ତନ କରାଯାଇଥିଲା, ତାହା ଯେ ଦେଶର ମେରୁଦଣ୍ଡ କୃଷକ ଶ୍ରେଣୀକୁ ଭାଙ୍ଗିବାର ଭୂମିକା ନିର୍ବାହ କରିଥିଲା – ଏ ଉତ୍କଟ ସତ୍ୟ ଆଜି ଉଣାଅଧିକେ ସମସ୍ତଙ୍କୁ ଗୋଚର।

ବର୍ତ୍ତମାନ ଗାଆଁ ଗାଆଁରେ ଶୂନ୍‌ଶାନ୍‌ ସମୟ। ଚାଷଜମି ସବୁ ଚାକୁଣ୍ଡା ଭୂଇଁ। ଯେଉଁ ଚଷା ସାରା ପୃଥିବୀର ଅନ୍ନଦାତା, ତା’ ପ୍ରତି ବିଶ୍ୱାସଘାତକତାର ଅନ୍ତହୀନ ବର୍ବରତା ବଜାୟରହିଛି ପୂର୍ବପରି। ଶାସନ, ପ୍ରଶାସନ ଓ ଶିଳ୍ପୀୟତ ବ୍ୟବସ୍ଥା ପାରସ୍ପରିକ ରାଜିନାମାର ରାଜନୀତି ଚାଲୁରଖି ଏ କୃଷକ ଶ୍ରେଣୀକୁ ଉଚ୍ଛେଦ କରିବା ପାଇଁ କାହିଁକି ତତ୍ପର ? କାରଣ କୃଷକ କେବଳ ତା’ ଫସଲ କ୍ଷେତର ଜଗୁଆଳ ନୁହେଁ, ସେ ମଧ୍ୟ ଗ୍ରାମ ସଂସ୍କୃତିର ଗୃହରକ୍ଷୀ। କୃଷକଶ୍ରେଣୀ ମଜବୁତ ଥିବାଯାଏଁ ଗାଆଁକୁ ବଣିକବାହିନୀର ଭଡାଟିଆ ଗୁଣ୍ଡା କି ଶାସକବର୍ଗର ପାଳିତ ଶ୍ୱାନଦଳ ପଶିପାରିବା ଅସମ୍ଭବ। କୃଷକକୁ ଦୁର୍ବଳ କରିଦେଇ ତା’ ଜମି ଉପରେ କଳାକନାର ପତାକା ଉଡାଇବା ପାଇଁ ବଣିକ ଓ ଶାସକମାନଙ୍କ ମେଂଟ ଆଜି ପୂରାମାତ୍ରାରେ ସକ୍ରିୟ। ଏବେ ପୁଣି ଆଦିବାସୀଙ୍କୁ ଆଇନକାନୁନ୍‌ଠାରୁ ଦୂରେଇ ରଖି ସେମାନଙ୍କ ଜଙ୍ଗଲକୁ ଲୁଟ୍‌ କରିବାର ଚକ୍ରାନ୍ତ ଚାଲିଛି। ଖଣି ଗୁଡାକୁ ବିକି ଦେବାର ମସୁଧା ଚାଲିଛି। ରାଜିନାମାର ରାଜନୀତିରେ କେବଳ କୃଷକ ଓ ଆଦିବାସୀବର୍ଗ ନୁହନ୍ତି, ମେହନତି ମଜଦୁର ତଥା ଶ୍ରମିକଶ୍ରେଣୀ ମଧ୍ୟ ବଳି ପଡିବାକୁ ଯାଉଛନ୍ତି। ମେସିନ୍‌ ମାଫିଆ ଶ୍ରମିକ ମଜଦୁର ଭାଇଭଉଣୀମାନଙ୍କ ଜୀବନନାଟିକାକୁ ହରଣଚାଲ କରିନେବାକୁ ବାହା ପିଟୁଚି।

ସମସ୍ତେ ପ୍ରଚାର କରୁଛନ୍ତି ପ୍ରଗତି – ପ୍ରଗତି ! ଶିଳ୍ପ ଆସିଲେ କୁଆଡେ ପ୍ରଗତି ଆସିବ। କିନ୍ତୁ ଯେଉଁ ପ୍ରଗତି ଆସିଲେ ମଣିଷର ଜମି, ଜଙ୍ଗଲ, ଜୀବନର ପତ୍ତାସୁଦ୍ଧା ମିଳିବନି ଏବଂ ବିସ୍ଥାପିତ ବର୍ଗର ବିକଳ ଆର୍ତ୍ତନାଦରେ ସ୍ୱର୍ଗମର୍ତ୍ୟ ପାତାଳ ଥରିଉଠିବ, ସେ ପ୍ରଗତି କାହାର ? ସେ ପ୍ରଗତି ବଣିକର, ଶାସକର, ପ୍ରଶାସକର ପ୍ରଗତି – ସାଧାରଣ ମଣିଷର ମର୍ଯ୍ୟାଦା ସେ ପ୍ରକାର ପ୍ରଗତିରେ ଦିବାସ୍ୱପ୍ନ।ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍। ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି। ଏ ଦଳ କହୁଚିସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ – ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ। ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟା ହ୍ରାସ ଘଟିଛି ଶୋଚନୀୟ ଭାବରେ। ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେଜଣେ। ବର୍ତ୍ତମନର ରାଜନୀତି ଏକପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତି ନହେଲେ ରାଜକୋଷ ଲୁଣ୍ଠନମୁଖୀ ବାଜନୀତି। ରାଜନୀତିକୁ ବାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହବର୍ଗ ଗୋଟିଏ ଗୋଟିଏ ଦଳ ଗଢିସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର । ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେଏମାନେ ବିଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତମିଳାନ୍ତି ପରସ୍ପର ସହିତ।

ଆଜି ସମସ୍ତଙ୍କ ମୁଣ୍ଡ ବିଗିଡିଯାଇଛି। ସେଥିପାଇଁ ଶାସକ ଓ ସୌଦାଗରମାନଙ୍କ ସୌଖିନ୍‌ ସଂସ୍କୃତିକୁ ସମସ୍ତେ ପ୍ରଗତିର ପ୍ରକୃତି ଭାବରେ ବୁଝୁଛନ୍ତି । କିନ୍ତୁ ମୁଣ୍ଡକାମ କରିଥିଲେ ଏ ମୋହ ଆଉ ଆମେ କାହାକୁ ପାଗଳ କରୁନଥାନ୍ତା। ଏବେ ମୁଣ୍ଡ ମରାମତି କାରଖାନା ଆଗେ ଦରକାର। ଏ ମୁଣ୍ଡ ମରାମତି କାରଖାନା କିଏ କରିବ ? ନା, କୌଣସି ମାଲିକ ନୁହେଁ, ମହାଜନ ନୁହେଁ, ଶାସକ ନୁହେଁ, ସୌଦାଗର ନୁହେଁ – ଏ କାରଖାନା ଚଳାଇବେ ଆଦିବାସୀମାନେ, ଅଧିବାସୀମାନେ, କୃଷକ ଶ୍ରମିକମାନେ ଏବଂ ପ୍ରବଂଚିତ ଦଳିତ ଜନସମୂହ।

ମୁଣ୍ଡ ମରାମତି କାରଖାନା ଚାଲିଲେ ଜୀବନ ସଂଗ୍ରାମର ସ୍ୱାଧୀନତା ପାଇଁ ଆନ୍ଦୋଳନ ସାରା ପୃଥିବୀ ପାଇଁ ସୃଷ୍ଟିକରିପାରିବ ସଂଶୟମୁକ୍ତ ଶୁଭେଚ୍ଛା – ବଂଚିବାରବାର୍ତ୍ତା। ପ୍ରଚାରରେ ପ୍ରଗତିର କୀର୍ତ୍ତନ ଚାଲିଛି, ବିଚାରରେ ନାହିଁ – ପ୍ରଗତି ନାଆଁରେ ଏ ଦୁର୍ଗତିକୁ ଚିହ୍ନଟକର ଓ ପ୍ରତିବାଦ କର। ତୁମ ଜୀବନସଂଗ୍ରାମର ସ୍ୱାଧୀନତାକୁ ବିପନ୍ନ କରି ଯେଉଁ ରାଜନୈତିକ ଧାରାବର୍ତ୍ତମାନ ନାନାଦି ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରୁଛି, ସେଯୋଜନାରେ ଭୁଲି ନଯାଇ ନୂତନ ରାଜନୈତିକ ଦର୍ଶନ ପ୍ରସ୍ତୁତକର। ଦେଶଦ୍ରୋହୀ, ଜନଦ୍ରୋହୀ ରାଜକୋଷ ଲୁଟେରାଙ୍କୁ ଚରମଶାସ୍ତି ଦିଅ। ଗାଆଁଗଣ୍ଡା, ଖଣିଖାଦାନ, ପାହାଡ ପଡିଆ, ସହରବଜାର – ସବୁ ତୁମ ଜୀବନସଂଗ୍ରାମର କୁରୁକ୍ଷେତ୍ର। କୃଷିଜୀବୀ, ଶ୍ରମଜୀବୀ ଜନସାଧାରଣ ଏକ୍‌ ହୁଅ – ମେଳିକର – ହକ୍ ଅଧିକାର ଛଡାଇଆଣ । କଷ୍ଟ ଓ ମୃତ୍ୟୁକୁ ଭୟକରନା – ନିଜ ବିପର୍ଯ୍ୟୟକୁ ଜୟ କରି ତୁମେ ହୁଅ ଜଗତଜିତା।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button