ରାଜସ୍ଥାନରେ ବିବାଦ ତେଜୁଛି : ବିଧାୟକ ଦଳ ବୈଠକ ଡାକି ଶକ୍ତି ଦେଖାଇଲେ ଗେହଲଟ

ଜୟପୁର : ରାଜସ୍ଥାନ ରାଜନୀତିରେ ବିବାଦ ତେଜୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଚରମରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ସଚିନ ଆଉ ପଛକୁ ଫେରି ପାରିବେ ନାହିଁ। ତେଣୁ ସମାଧାନର ରାସ୍ତା ଏକ ପ୍ରକାର ବନ୍ଦ। କାରଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ପୋଲିସ ବିଭାଗରୁ ନୋଟିସ ପାଇବା ପରେ ସଚିନ ବୁଝାମଣା ସ୍ଥିତିରେ ନାହାନ୍ତି। ଚର୍ଚ୍ଚା ହେଉଛି ସେ ବିଜେପି ଯୋଗାଯୋଗରେ ରହିଛନ୍ତି। ଆଗକୁ ଦଳ ଛାଡିବେ।

ଅନ୍ୟପକ୍ଷରେ ଗାଦିରକ୍ଷା ପାଇଁ ଅଶୋକ ଗେହଲଟ ଜାରି ରଖିଛନ୍ତି ଉଦ୍ୟମ। ଆଜି ବିଧାୟକ ଦଳ ବୈଠକ ଡାକି ୧୦୨ ଜଣଙ୍କ ସଦସ୍ୟଙ୍କ ସମର୍ଥନ ତାଙ୍କ ପାଖରେ ରହିଥିବା ଦର୍ଶାଇଛନ୍ତି। କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ସଚିନ ପାଇଲଟ। ସେ କହିଛନ୍ତି ଗେହଲଟ କରିଥିବା ଦାବି ଭୁଲ। ମୋ ସହ ୨୫ରୁ ଅଧିକ ବିଧାୟକ ରହିଛନ୍ତି। ଏହାର ଜବାବରେ ଗେହଲଟ କହିଛନ୍ତି ଯେଉଁମାନେ ସରକାର ଗଠନ କରିବାକୁ କ୍ଷମତା ରଖିଛନ୍ତି ବୋଲି ଦାବି କରୁଛନ୍ତି ସେମାନେ ସମସ୍ତଙ୍କ ସାମ୍ନାରେ ତାହାର ପ୍ରମାଣ ଦେବା ଆବଶ୍ୟକ। ଗଣମାଧ୍ୟମର କ୍ୟାମେରା ତାଙ୍କ ଘରେ ପହଞ୍ଚି ଦେଖିବା ଦରକାର।

ରାଜସ୍ଥାନରେ ଏହି ରାଜନୈତିକ ବିବାଦ ଭିତରେ ସ୍ଥିତି ସମ୍ଭାଳିବାକୁ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜୱାଲା କହିଛନ୍ତି ଗେହଲଟ ସରକାର ନିକଟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରହିଛି। ୧୦୨ ବିଧାୟକ ଆମ ସହ ରହିଛନ୍ତି। ଅନ୍ୟମାନେ ଖୁବଶୀଘ୍ର ଆମକୁ ସମର୍ଥନ ଜଣାଇବେ। ବିଜେପି ସରକାରଙ୍କୁ ଦୋହଲାଇବା ପାଇଁ ଯେଉଁ ଚେଷ୍ଟା କରୁଛି ହେଲେ ଆଦୌ ସଫଳ ହେବନାହିଁ। ସେହିପରି ସୋମବାର ଗେହଲଟଙ୍କ ବାସଭବନରେ ବସିଥିଲା ବିଧାୟକ ଦଳ ବୈଠକ। ଏଥିରେ ୯୦ରୁ ଅଧିକ ବିଧାୟକ ଯୋଗଦେଇଥିବା ଜଣାପଡ଼ିଛି। କୁହାଯାଉଛି ଗେହଲଟଙ୍କ ଆଉ କିଛି ବିଧାୟକଙ୍କ ସମର୍ଥନ ରହିଛି। ହେଲେ ସେମାନେ ବ୍ୟକ୍ତିଗତ କାରଣ ପାଇଁ ବୈଠକକୁ ଆସି ପାରିନାହାନ୍ତି। ବୈଠକ ପରେ ସବୁ ବିଧାୟକ ବିଜୟର ଚିହ୍ନ ମିଡିଆ ଆଗରେ ପ୍ରଦର୍ଶନ କରିଛନ୍ତି। କିନ୍ତୁ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଡାକିଥିବା ବୈଠକରେ କଂଗ୍ରେସର ଅନ୍ୟୁନ ୧୯ ବିଧାୟକ ଅନୁପସ୍ଥିତ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।