ରାଜ୍ୟର ସବୁ ସହରାଞ୍ଚଳରେ ଶନି ଓ ରବିବାର ସଟ୍‌ଡାଉନ୍‌

ଭୁବନେଶ୍ଵର : ଶନି ଓ ରବିବାର ଦୁଇଦିନ ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍‌ ହେବ। ଆଜି ଏହି ଘୋଷଣା କରିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ଏହି ସପ୍ତାହନ୍ତ ସଟ୍‌ଡାଉନ୍‌ କଟକଣା ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜାରି ରହିବ। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହ ରାଜ୍ୟର ୩୦ଟି ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା। ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କଟକଣା ଲାଗୁହେବ। ସପ୍ତାହନ୍ତ ସଟଡାଉନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ। ଅନୁମତି ଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବାଆସିବା କରିପାରିବେ।

ସେ କହିଲେ ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ। ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ। ବିବାହ ଶୋଭାଯାତ୍ରା ପାଇଁ ଅନୁମତି ମିଳିବନି। ଏହାକୁ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗଣମାଧ୍ୟମ କର୍ମଚାରମାନେ ଅଫିସ ଯାଇପାରିବେ। ଯିବାବେଳେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଏହାଛଡ଼ା ଷ୍ଟେସନ୍‌ ଯାଉଥିବା ଲୋକଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିବ ବୋଲି ଶ୍ରୀ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button