ରାଜ୍ୟର ଆଉ ଦୁଇଦିନ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁଇଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ରବିବାର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢେ ଗୋଟାରରୁ ୨୯ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ରାୟଗଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି।
ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଓ ଘୂର୍ଣ୍ଣିଝଡ଼ର ପୂର୍ବନୁମାନ କରାଯାଇଛି। ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡା ଜଗତସିଂହପୁର, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାରେ ଅନୁରୂପ ପାଗ ରହିବା ସମ୍ଭାବନା ଥିବାରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଏହାବ୍ୟତୀତ ୨୯ ତାରିଖ ସକାଳ ସାଢେ ୮ରୁ ୩୦ ତାରିଖ ସକାଳ ୮ଟା୩୦ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅନୁରୂପ ପାଗ ରହିବ। ସେଥିପାଇଁ ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।