ରାଜ୍ୟରେ ବନ୍ଦର ବିକାଶ ଜରିଆରେ ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିଛି : ମନ୍ତ୍ରୀ ଶ୍ରୀ ବେହେରା

ଭୁବନେଶ୍ୱର : ବନ୍ଦର ବିକାଶ ଜରିଆରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି । ରାଜ୍ୟର ବନ୍ଦରଗୁଡ଼ିକର ବିକାଶ ସାଙ୍ଗକୁ ସେଗୁଡ଼ିକ ମାଧ୍ୟମରେ ପଣ୍ୟ ପରିବହନ ପାଇଁ ସରକାରୀ-ଘରୋଇ ଭାଗୀଦାରିରେ କାର୍ଯ୍ୟ ଆଗେଇ ଚାଲିଛି। ଏହା ଦ୍ୱାରା ରାଜ୍ୟରେ ପୁଂଜିନିବେଶ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିର ସମ୍ଭାବନା ରହିଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଲ୍ଲେଖ କରିଛନ୍ତି।

ବୁଧବାର ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ‘ଭାରତର ସାମୁଦି୍ରକ ବାଣିଜ୍ୟ ୨୦୨୧’ ଶୀର୍ଷକ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ବକ୍ତବ୍ୟ ରଖି ମନ୍ତ୍ରୀ ଶ୍ରୀ ବେହେରା ଉପରୋକ୍ତ ମର୍ମରେ ଓଡ଼ିଶାରେ ବନ୍ଦର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି। ୪୮୦ କିଲୋମିଟର ପରିବ୍ୟାପ୍ତ ଓଡ଼ିଶାର ଉପକୂଳରେ ବନ୍ଦର, ମାଛଧରା କେନ୍ଦ୍ର, ପ୍ରକ୍ରିୟାକରଣ କେନ୍ଦ୍ର ଓ ପର୍ଯ୍ୟଟନ ପ୍ରକଳ୍ପ ପ୍ରତିଷ୍ଠାର ବିଶେଷ ସମ୍ଭାବନା ରହିଥିବା ବେଳେ ରାଜ୍ୟ ସରକାର ୨୦୦୪ରୁ ଏକ ଅନୁକୂଳ ବନ୍ଦର ନୀତି ପ୍ରଣୟନ କରିଛନ୍ତି। ବିଭିନ୍ନ କମ୍ପାନୀ ତଥା ଉଦ୍ୟୋଗୀମାନେ ରାଜ୍ୟର ବନ୍ଦରଗୁଡ଼ିକର ନିର୍ମାଣ, ମାଲିକାନାରେ ଅଂଶୀଦାର, ପରିଚାଳନା, ଅଂଶଗ୍ରହଣ ଓ ହସ୍ତାନ୍ତରଣ ଇତ୍ୟାଦିରେ ସଂପୃକ୍ତ ହୋଇପାରିବା ଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟର ୪ଟି ସ୍ଥାନରେ ବନ୍ଦର ବିକାଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ ଆଉ ଦୁଇଟି ସ୍ଥାନ ପାଇଁ ଖୁବ୍‌ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

୨୦୧୯-୨୦ରେ ଧାମରା ଓ ଗୋପାଳପୁର ବନ୍ଦରରେ ୨୯.୭ ଏମ୍‌ଏମ୍‌ଟି ଓ ୫୫ ଏମ୍‌ଏମ୍‌ଟି ପରିମାଣର ମାଲ ପରିବହନ ହୋଇଛି। ଅନ୍ୟ ପକ୍ଷରେ ସୁବର୍ଣ୍ଣରେଖା ମୁହାଣ (ଚଉମୁଖ) ଓ ଅସ୍ତରଙ୍ଗ ବନ୍ଦର ପାଇଁ ମଧ୍ୟ ରାଜିନାମା ସ୍ୱାକ୍ଷର କରାଯାଇଛି। ଖୁବ୍‌ଶୀଘ୍ର ମହାନଦୀ ନଦୀ ବନ୍ଦର ଓ ଜଟାଧାରୀ ମୁହାଣ ବନ୍ଦର ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ। କେତେକ ବନ୍ଦର ନିକଟରେ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ ଧାମରାରେ ଏଲ୍‌ଏନ୍‌ଜି ପ୍ଲାଣ୍ଟ ଓ ଇଡ୍‌କୋ ଦ୍ୱାରା ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଉଛି। ସେଠାରେ ମଧ୍ୟ ରାଜ୍ୟ ସରକାର ଏକ ବିମାନବନ୍ଦର ପ୍ରତିଷ୍ଠା କରିବେ। ଗୋପାଳପୁରରେ ମଧ୍ୟ ଟାଟା କମ୍ପାନୀରେ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ ଆନୁକୂଲ୍ୟରେ ପ୍ରାୟ ୩୦୦୦ ଏକର ଜମିରେ ବିଭିନ୍ନ ଉଦ୍ୟୋଗୀ ଶିଳ୍ପ ପ୍ରତିଷ୍ଠା କରିପାରିବେ। ସୁବର୍ଣ୍ଣରେଖା ବନ୍ଦର ପାଇଁ ହଳଦିଆ ପେଟ୍ରୋକେମିକାଲ, ମହାନଦୀ ନଦୀ ବନ୍ଦର ପାଇଁ ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ଓଡ଼ିଶାରେ ବନ୍ଦରଗୁଡ଼ିକ ପାଖରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପୁଂଜିନିବେଶ ସାଙ୍ଗକୁ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ନିବେଶକ ଆଗେଇ ଆସିବାକୁ ମନ୍ତ୍ରୀ ଆମନ୍ତ୍ରଣ କରିଥିଲେ । ଓଡ଼ିଶାର ଅନୁକୂଳ ଶିଳ୍ପନୀତି ଏବଂ ପାରଦର୍ଶୀ ବନ୍ଦର ନୀତି ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅଧିବେଶନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ ଓଡ଼ିଶାର ୫,୧୪,୨୨,୨୩,୬୪,୯୬ ନମ୍ବର ଜଳପଥକୁ ଭାରତ ସରକାର ଜାତୀୟ ଜଳପଥ ଭାବରେ ଘୋଷଣା କରିଥିବାବେଳେ ୫୮୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୫ ନମ୍ବର ଜଳପଥ ଆର୍ଥିକ ଦୃଷ୍ଟିରୁ ଅଧିକ ଅନୁକୂଳ ହେଉଥିବାରୁ ପାରାଦୀପ, ଧାମରା ଓ ହଳଦିଆ ପୋର୍ଟକୁ ଓଡ଼ିଶାର ବିଭିନ୍ନ କୋଇଲା ଖଣି ଓ ଶିଳ୍ପାନୁଷ୍ଠାନରୁ ମାଲ ପରିବହନ ସମ୍ଭବ ହୋଇପାରିବ । ବନ୍ଦରଭିତ୍ତିକ ବିକାଶ ଫଳରେ ରାଜ୍ୟରେ ଧାତବ, ଇସ୍ପାତ, ଆଲୁମିିୟମ୍‌, ବିଦୁ୍ୟତ ଓ ପେଟ୍ରୋକେମିକାଲ ପ୍ରକଳ୍ପର ପ୍ରତିଷ୍ଠା ସୁଗମ ହେବା ସହିତ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ।

ଏହି ଅଧିବେଶନରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଆଦାନୀ ଗ୍ରୁପ୍‌ର ଦିଲ୍ଲୀପ ଉମେନ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ବିନୀତ କୁମାର, ଟାଟା ଷ୍ଟିଲର ଦିବ୍ୟେନ୍ଦୁ ବୋଷ, ଜିନ୍ଦଲର ବି.ଆର୍‌. ଶର୍ମା ଓ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏ.କେ. ବୋଷ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button