ରାଜ୍ୟରେ ଗୃହନିର୍ମାଣ ଯୋଜନା ବନ୍ଦ ପାଇଁ ବିଜେପିର ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ୱର : ବିଜେପି ସାଂସଦମାନେ ରାଜ୍ୟରେ ଗୃହନିର୍ମାଣ ଯୋଜନାକୁ ବନ୍ଦ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ୫ ବର୍ଷ ଭିତରେ ଓଡ଼ିଶା ୧୫.୭୩ ଲକ୍ଷ ଗୃହ ନିର୍ମାଣ କରିଥିବା ବେଳେ କେନ୍ଦ୍ର ସରକାର ୧୨,୯୨୮କୋଟି ୯ଲକ୍ଷ ଟଙ୍କା ଦେଇଛନ୍ତି। ୮୫୧୮କୋଟି ୭୩ଲକ୍ଷ ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିଛନ୍ତି। ପାଖାପାଖି ବର୍ଷେରୁ ଅଧିକ ସମୟଧରି ଏହି ଯୋଜନାକୁ ବନ୍ଦ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ପରିମାଣର ଗୃହ ଯୋଗାଇ ଦିଆଯାଉଥିବାବେଳେ ଓଡ଼ିଶା ପାଇଁ ପାତରଅନ୍ତର କରାଯାଉଛି।

ସେମାନେ କହିଲେ ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ରହିବା ଆବଶ୍ୟକ। ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଜେପି ସାଂସଦମାନେ ଗରିବଙ୍କ ମୁଣ୍ଡରେ ଛାତ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନାକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରିଛନ୍ତି। ଓଡ଼ିଶାର ୩୦ହଜାର ଗାଁର ଲୋକେ ଏହି ଯୋଜନା ଦ୍ୱାରା ଉପକୃତ ହେଉଥିବାବେଳେ ୩୦୦ ଗାଁ’ରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ଓଡ଼ିଶାର ଗରିବ ଲୋକଙ୍କର ହକ୍‌କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି। ପ୍ରତିବର୍ଷ ଫନି, ଅମ୍ଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଓଡ଼ିଶା ସମ୍ମୁଖୀନ ହେଉଥିବାରୁ ବହୁ ଲୋକେ ବାସହୀନ ହେଉଛନ୍ତି। ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାର ୪୦ ପ୍ରତିଶତ ଦେଉଥିବାବେଳେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଛନ୍ତି। ତା’ଛଡ଼ା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟକୁ ଯୋଡ଼ିଲେ ଏହି ଖର୍ଚ୍ଚ ୫୦ ପ୍ରତିଶତ ହେବ। ଯଦି ଓଡିଶାବାସୀଙ୍କର ଟଙ୍କା ଘର ତିଆରିରେ ଖର୍ଚ୍ଚ ହେଉଛି ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେମନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button