ରାଜ୍ୟରେ ନମୂନା ପରୀକ୍ଷା ୫ଲକ୍ଷ ଅତିକ୍ରମ କରିଛି

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ନମୂନା ପରୀକ୍ଷା ୫ଲକ୍ଷ ଅତିକ୍ରମ କରିଛି। ପ୍ରଥମ ୧୦ସପ୍ତାହରେ ୧ଲକ୍ଷ ନମୂନା ପରୀକ୍ଷା ହୋଇଥିବା ବେଳେ ମାତ୍ର ୧୦ଦିନରେ ଶେଷ ଏକ ଲକ୍ଷ ନମୂନା ପରୀକ୍ଷା ସମ୍ଭବପର ହୋଇପାରିଛି। ଆଜି ଏହି ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଲେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷା କିଟ୍ ରହିଛି। ଲୋକମାନେ ଆଗକୁ ଆସି ଏହି ପରୀକ୍ଷା କରିବା ଉଚିତ। ସେ କହିଲେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ନାହିଁ। ଗତ ୭ଦିନ ମଧ୍ୟରେ କଟକ,ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ୭ଟି ନୂଆ ମେଡିକାଲ ସ୍ଥାପନ କରି ଏକ ହଜାର ନୂଆ ବେଡ୍ ସ୍ଥାପନ କରାଯାଇ ପାରିଛି। ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୬୨.୪୨ ପ୍ରତିଶତ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ୩୭.୦୩ ପ୍ରତିଶତ ବ୍ୟକ୍ତି ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ୦.୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କ ସଂଖ୍ୟା ମାତ୍ର ୭ ପ୍ରତିଶତ ହୋଇଥିବା ବେଳେ ୦ରୁ ୪୦ ବର୍ଷ ମଧ୍ୟରେ ୬୪ପ୍ରତିଶତ ଓ ୪୧ରୁ ୬୦ବର୍ଷ ମଧ୍ୟରେ ୨୯ ପ୍ରତିଶତ ଲୋକ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରେ ୭୨ ପ୍ରତିଶତ ପୁରୁଷ ଓ ୨୮ ପ୍ରତିଶତ ମହିଳା ଅଛନ୍ତି।

ଶ୍ରୀମତୀ ପଣ୍ଡିତ କହିଲେ ଗଞ୍ଜାମ ଜିଲ୍ଲାରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ନମୂନା ପରୀକ୍ଷା ହେଉଛି। ସେହିପରି ପ୍ଲାଜମା ଥେରାପୀ ଯୋଗୁ ଏବେ ସଫଳତା ମିଳିବାରେ ଲାଗିଛି। ୨୮ଜଣ ଡୋନରଙ୍କଠୁ ନିଆଯାଇଥିବା ପ୍ଲାଜମା ୩୩ଜଣ ସଂକ୍ରମିତଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେବାରେ ଲାଗିଛନ୍ତି। ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରମୁଖ ହସ୍ପିଟାଲରେ ପ୍ଲାଜମା ଥେରାପୀ ବ୍ୟବସ୍ଥା ଥିବାବେଳେ କଟକସ୍ଥିତ ଏସସିବି ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇଛି। ଆସନ୍ତାକାଲି ରାଉରକେଲା ସରକାରୀ ହସ୍ପିଟାଲରେ ମଧ୍ୟ ଅନୁରୂପ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବ। ତେବେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟରେ ସାମିଲ ହେଉଥିବା ଲୋକମାନେ ବେଶୀ ସଂଖ୍ୟାରେ ସଂକ୍ରମିତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ତେଣୁ ଏସବୁ ସ୍ଥାନକୁ ଯିବାବେଳେ କିମ୍ବା ବାହାରକୁ ଯିବା ସମୟରେ ମାସ୍କ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।