ରାଜ୍ୟସଭା : ସୂଚାରୁ ରୂପେ ଗୃହ ଚଳାଇଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଓ ଉପା‌ଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଆଜି ଗୃହ ପରିଚାଳନା କରିଛନ୍ତି ବି‌‌ଜେଡି ସାଂସଦ ଡ. ସସ୍ମିତ ପାତ୍ର। ଏକ ଘଣ୍ଟାରୁ ଅଧିକ ସମୟ ସେ ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ପରେ ଓଡିଆ ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ କରାଯାଇଥିଲା। ଆଜି ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିବାରୁ ରାଜ୍ୟସଭାର ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଶଂସା କରିଛନ୍ତି।

ରାଜ୍ୟସଭାରେ ମହାମାରୀ ରୋଗ (ସଂଶୋଧନ) ବିଲ-୨୦୨୦ର ଆଲୋଚନାରେ ବିଭିନ୍ନ ଦଳର ନେତାମାନଙ୍କୁ ସେମାନଙ୍କର ଦଳର ସ୍ଥିତି ଅନୁସାରେ ଆଲୋଚନାରେ ଭାଗ ନେବା ପାଇଁ ସୁଯୋଗ ଦେଇଥିଲେ। ଅତ୍ୟନ୍ତ ଶାନ୍ତ, ବିନମ୍ର ଓ ସଂଯମତା ସହିତ ଗୃହ କାର୍ଯ୍ୟକୁ ସ୍ଵାଭାବିକ ଶୈଳୀରେ ପରିଚାଳନା କରିବାରେ ସସ୍ମିତଙ୍କ ଏକାଗ୍ରତା ବାରି ହେଉଥିଲା। ଗତବର୍ଷ ଜୁଲାଇ ମାସରେ ରାଜ୍ୟସଭା‌ର ଅଧ୍ୟକ୍ଷ ଏମ୍. ଭେଙ୍କିଆ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ସସ୍ମିତଙ୍କ ସହିତ ଛଅଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ।

ମତାମତ ଦିଅନ୍ତୁ ।