ରାଫେଲ୍ ରାଜିନାମା : ଭାରତୀୟ ମଧ୍ୟସ୍ଥ ନେଇଛନ୍ତି ୧ ନିୟୁତ ୟୁରୋ ଉପହାର

ନୂଆଦିଲ୍ଲୀ : ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ୍ କିଣାରେ ଲାଞ୍ଚ କାରବାର। ୨୦୧୬ରେ ଭାରତ-ଫ୍ରାନ୍ସ ରାଜିନାମା ସ୍ୱାକ୍ଷର ହେବା ପରେ ଭାରତର ଜଣେ ମଧ୍ୟସ୍ଥଙ୍କୁ ରାଫେଲ୍ର ନିର୍ମାତା `ଡାସଲ୍ଟ’ ୧ ନିୟୁତ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ଉଠିଛି। ‘ଡାସଲ୍ଟ୍ ଗ୍ରୁପ୍’ର ୨୦୧୭ ଆକାଉଣ୍ଟ୍ସ୍ରେ ‘ଗିଫ୍ଟୁ କ୍ଲାଏଣ୍ଟ୍’ ଆକାରରେ ୫୦୮,୯୨୫ ୟୁରୋ ପ୍ରଦାନ କରାଯାଇଥିବା କଥା କୁହାଯାଉଛି।
ଫ୍ରାନ୍ସର ପବ୍ଲିକେସନ ‘ମିଡିଆପୋର୍ଟ’ ଏକ ରିପୋର୍ଟରେ ଦାବି କରିଛି ‘ଡାସଲ୍ଟ୍ ଗ୍ରୁପ୍’ର ୨୦୧୭ ଆକାଉଣ୍ଟ୍ସ୍ରେ ‘ଗିଫ୍ଟୁ କ୍ଲାଏଣ୍ଟ୍’ ଆକାରରେ ୫୦୮,୯୨୫ ୟୁରୋ ପ୍ରଦାନ କରାଯାଇଛି। ରବିବାର ସନ୍ଧ୍ୟାରେ ଗୋପନୀୟ ଅଡିଟ୍ ରିପୋର୍ଟରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ମିଡିଆପୋର୍ଟ ରିପୋର୍ଟ କରିଛି। ହେଲେ କମ୍ପାନି କହିଛି ରାଫେଲ୍ ଜେଟ୍ର ୫୦ଟି ବୃହଦ୍କାୟ ରେପ୍ଲିକା ମଡେଲ୍ ନିର୍ମାଣ କରିବାକୁ ଏହି ଅର୍ଥ ଦିଆ ଯାଇଥିଲା। କିନ୍ତୁ ସେଭଳି କୌଣସି ମଡେଲ୍ ନିର୍ମାଣ ହୋଇଥିବା ସଂକ୍ରାନ୍ତରେ ନିରୀକ୍ଷକମାନେ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି।
ଅଭିଯୋଗ ହେଉଥିବା ଏହି ବେଆଇନ ଦେୟ ବିରୋଧରେ ଫ୍ରାନ୍ସ ଆଣ୍ଟି-କରପ୍ସନ୍ ଏଜେନ୍ସି ଅଦାଲତକୁ ଯାଇ ନ ଥିବାରୁ ଉଭୟ ବିଚାର ବ୍ୟବସ୍ଥା ଓ ରାଜନୈତିକ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ମିଡିଆପୋର୍ଟ କହିଛି। ଡେଫ୍ସିସ୍ ସଲୁସନ୍ସ୍ ନାମକ ଏକ ଭାରତୀୟ କମ୍ପାନିର ଇନ୍ଭଏସ୍ ପ୍ରୋଫର୍ମା ଦ୍ୱାରା ‘ଡାସଲ୍ଟ୍’ ଏହି ଉପହାରକୁ ବ୍ୟୟ ଭାବେ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ ମାର୍ଚ୍ଚ ୩୦ ତାରିଖର ଇନ୍ଭଏସ୍ରେ ଉଲ୍ଲେଖ ଅଛି ରାଫେଲ୍ ଜେଟ୍ର ୫୦ଟି ଡମି ମଡେଲ୍ ନିର୍ମାଣ ଲାଗି ସମୁଦାୟ ଖର୍ଚ୍ଚ ୧, ୦୧୭,୮୫୦ ୟୁରୋର ୫୦% ଡେଫ୍ସିସ୍କୁ ଦିଆଯାଇଥିଲା। ପ୍ରତି ଡମିର ମୂଲ୍ୟ ୨୦, ୩୭୫ ୟୁରୋ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।