ରାସନ କାର୍ଡ ଠାରୁ ଧାନ ସଂଗ୍ରହ ପଞ୍ଜିକରଣ ପାଇଁ ଅନ୍‌ଲାଇନ୍‌ ଆବେଦନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ଯ୍ୟନ୍ତ ଏଣିକି ସବୁ ଅନ୍‌ ଲାଇନ ହେବ। ୫-ଟି କାର୍ଯ୍ୟକ୍ରମରେ ସ୍ଵଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ବ୍ୟାପକ ସଚେତନତା ଅଭିଯାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ ଦେଇଥିବା ବେଳେ ‘ଜଣେ ହେଲେ ଗରିବ ଲୋକଙ୍କୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ ବୋଲି କହିଛନ୍ତି।

ଗୁରୁବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହାକୁ ସ୍ଵବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି। ସେ କହିଲେ ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି। ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବ ସେଥିପାଇଁ ଅନ୍‌ ଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ ଆରୋପ କରିଥିଲେ। ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି। ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ Making of a Food Secure Odisha କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ୫ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶୃତିବଦ୍ଧ ହୋଇ କାର୍ଯ୍ୟ କରୁଛି। ଆଜିର ଏହି ଅନ୍‌ଲାଇନ ସେବା ଗୁଡିକ ଏ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ସମସ୍ତଙ୍କୁ ସ୍ଵାଗତ କରି ନୂତନ ସେବା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମୀନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାପାଳ ଓ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ମତାମତ ଦିଅନ୍ତୁ ।