ରାୟପୁରରେ ଛପା ହୋଇ ଭାଇଜାକ୍‌ ଯାଉଥିଲା ଜାଲ୍ ନୋଟ

କୋରାପୁଟ : ଜବତ ହୋଇଥିବା ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ୍ ନୋଟ ଗୁମର ଖୋଲିଲା। ଛତିଶଗଡ ରାଜଧାନୀ ରାୟପୁରରେ ଛପା ହୋଇ ଏସବୁ ଆନ୍ଧ୍ର ପ୍ରଦେଶର ଭାଇଜାକ୍‌କୁ ଚାଲାଣ ହେଉଥିଲା। କୋରାପୁଟ ସୁଙ୍କି ଆଉଟପୋଷ୍ଟରେ ଜାଲ ନୋଟ ସହ ଛତିଶଗଡର ଚମ୍ପା ଜିଲ୍ଲା ଜଞ୍ଜଗୀର ଅଞ୍ଚଳର ତିନିଜଣଙ୍କୁ ପୋଲିସ ଗିରଫ କରିଛି।

ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଜଣେ ପ୍ରତିଷ୍ଠିତ ପାୱାର ପ୍ଲାଣ୍ଟରେ କାମ କରୁଥିବା ଇଞ୍ଜିନିୟର। ଜଣେ କର୍ମଚାରୀ ଓ ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଧରିଛି। କିନ୍ତୁ ପୋଲିସ ଏମାନଙ୍କ ନାମ ଘୋଷଣା କରିନି। କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଆଜି ସୁନାବେଡ଼ା ଏସଡିପିଓଙ୍କ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ସୁଙ୍କି ଆଉଟ ପୋଷ୍ଟ ନିକଟରେ ଏସଆଇ ଏସ.କେ ସ୍ଵାଇଁ ଓ ଏଏସଆଇ ଏମ.ଏସ ନାୟକ ନେତୃତ୍ଵରେ ପୋଲିସ ଚେକିଂ କରୁଥିଲା। ଏହି ସମୟରେ କୋରାପୁଟ ପଟୁ ବିଜୟ କୁମାର ବର୍ମନଙ୍କ ନାମରେ ରହିଥିବା ଏକ ଫୋର୍ଡ ଫିଗୋ ଗାଡି ଦ୍ରୁତ ଗତି‌ରେ ଯାଉଥିବାରୁ ପୋଲିସ ତାହାକୁ ଅଟକାଇଥିଲା। ଗାଡିର ସମ୍ମୁଖ ପଟେ ଦୁଇଟି ବଡ ଟ୍ରଲି ବ୍ୟାଗ ଓ ପଛ ପଟେ ରହିଥିବା ଦୁଇଟି ଟ୍ରଲି ବ୍ୟାଗ ଯାଞ୍ଚ କରିବାରୁ ସେଥିରେ ନକଲି ନୋଟ ରହିଥିବା ଜଣାଥିଲା।

ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ରାୟପୁରରେ ଏକ କଲର ଜେରକ୍ସରେ ଏହା ଛପା ଯାଇଥିଲା। ସେମାନେ ଏହାକୁ ରାୟପୁରରୁ ଭାଇଜାଗ୍ ନେଇ ଯାଉଥିଲେ। ଏହି ସମସ୍ତ ଅଭିଯୁକ୍ତ ଛତିଶଗଡ ରାଜ୍ୟର। ସେମାନଙ୍କ ଠାରୁ ୫ଟି ମୋବାଇଲ୍ ଓ ୩୭ ହଜାର ନଗଦ ଟଙ୍କା ଜବତ କରାଯାଇଥିବା ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button