ରେଳ ପରୀକ୍ଷାର୍ଥୀଙ୍କ ପାଇଁ ଗୃହ ସଙ୍ଗରୋଧ ନିୟମ ଲାଗୁ ହେବନି

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖରୁ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଆୟୋଜିତ ହେବ ଆରଆରବି ପରୀକ୍ଷା। ଏହି ପରୀକ୍ଷାର୍ଥୀଙ୍କ ପାଇଁ ଗୃହ ପୃଥକବାସ ନିୟମ ଲାଗୁ ହେବ ନାହିଁ। ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସେ ଚିଠିରେ ଦର୍ଶାଯାଇଛି ରେଳ ନିଯୁକ୍ତି ବୋର୍ଡ, ବିଳାସପୁର ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଯାଇଥିଲା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ୩୧ ତାରିଖ ଯାଏଁ ଆରଆରବିର ପରୀକ୍ଷା ଭୁବନେଶ୍ୱରରେ ଆୟୋଜିତ ହେବ। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ପଠାଇ ଦିଆଯାଇଥିବା ବେଳେ ପ୍ରାୟ ୧୦୫୦୦ ପରୀକ୍ଷାର୍ଥୀ ଭୁବନେଶ୍ୱର ଆସିବେ। ତେଣୁ ରାଜ୍ୟ ସରକାରଙ୍କର ଗୃହ ପୃଥକବାସ ନିୟମ ଛାତ୍ରଛାତ୍ରୀଙ୍କ ଉପରେ ଲାଗୁହେବନାହିଁ ବୋଲି ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ କରୋନା ସଂକ୍ରମଣ ରୋକିବା ଲାଗି ୫ଟି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟରେ ପରୀକ୍ଷା ସହ ଏହି ୫ ରାଜ୍ୟ ଫେରନ୍ତାଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକବାସ ଲାଗୁ କରିଛନ୍ତି। କିନ୍ତୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଗୃହ ପୃଥକବାସ ଜରୁରୀ ନୁହେଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button