ରେଳବାଇ ଖଲାସୀ ପଦବୀରେ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଆଉ ଖଲାସୀ ଓ ବଙ୍ଗଳା ପିଅନ ନିଯୁକ୍ତି ହେବେନାହିଁ। ଏହି ପଦବୀକୁ ଉଚ୍ଛେଦ କରାଯାଇଛି। ଏନେଇ ରେଳବାଇ ବୋର୍ଡ ଅଗଷ୍ଟ ୬ ତାରିଖରେ ଆଦେଶନାମା ଜାରି କରାଯାଇଛି।
ବ୍ରିଟିଶ ସରକାର ଏହି ପଦବୀ ସୃଷ୍ଟି କରିଥିଲେ। ସେହିଦିନଠାରୁ ରେଳବାଇରେ ଖଲାସୀ ଓ ବଙ୍ଗଳା ପିଅନ ନିଯୁକ୍ତି ହୋଇଆସୁଛି। କେବଳ ଏ ଦୁଇଟି ପଦବୀ ନୁହେଁ ଟେଲିଫୋନ ଆଟେଣ୍ଡାଣ୍ଟ କମ୍ ଡାକ୍ ଖଲାସୀ (ଟିଏଡିକେ) ପଦବୀର ମଧ୍ୟ ମନ୍ତ୍ରାଳୟ ସମୀକ୍ଷା କରୁଛନ୍ତି। ଏହି ପଦବୀର ରେଳବାଇରେ ଆବଶ୍ୟକତା ଅଛି କି ନାହିଁ ତର୍ଜମା ପରେ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ତେବେ ଏହି ପଦବୀରେ ନୂତନ ନିଯୁକ୍ତି ନ କରିବା ଲାଗି ରେଳବାଇ ବୋର୍ଡ ଆଦେଶନାମରେ ଉଲ୍ଲେଖ ରହିଛି।
ଟିଏଡିକେ ପଦବୀରେ କର୍ମଚାରୀମାନେ ପ୍ରାୟତଃ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥାନ୍ତି। ଯେଉଁମାନଙ୍କୁ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ରେଳ ଅଧିକାରୀଙ୍କ ସହାୟତା ଲାଗି ପଠାଯାଉଥିଲା। ତେବେ ପରବର୍ତ୍ତି ସମୟରେ ଏହି କର୍ମଚାରୀମାନେ ଟିକେଟ୍ ଏକଜାମିନର, ଟ୍ରେନ ପୋର୍ଟର, ବାତାନୁକୂଳିତ ବଗିରେ ମେକାନିକ୍ ଅଥବା ରନିଂ ରୁମ ରେଷାୟା ଭାବେ ଗ୍ରୁପ-ଡି ପଦବୀରେ କାମ କରିଆସୁଛନ୍ତି।
ଏଭଳି କର୍ମଚାରୀଙ୍କ ପ୍ରତି ଉଚ୍ଚ ପଦରେ ରହିଥିବା ଅଧିକାରୀମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଧାରରେ କରାଯାଇଥିବା ତଦନ୍ତ ପରେ ଏହି ନିଷ୍ପତ୍ତି ହୋଇଛି। ଖଲାସୀ, ବଙ୍ଗଳା ପିଅନ ଓ ଟିଏଡିକେ କର୍ମଚାରୀଙ୍କ ଲାଗି ରେଳବାଇ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମଶ୍ରେଣୀ ପାସ ରଖିଥିବା ବେଳେ ଗ୍ରୁପ-ଡି କର୍ମଚାରୀଙ୍କ ଭଳିସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରୁଥିଲେ।