ରେମଡେସିଭର୍‌ ଓ ଫାବିପାରିଭିରର ବ୍ୟବହାର ଅନୁମୋଦିତ : ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ରେମଡେସିଭର୍‌ ଓ ଫାବିପାରିଭିର ଔଷଧର ବ୍ୟବହାର ଅନୁମୋଦିତ। ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ। ଆଜି ଏନେଇ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି।

ବୁଧବାର ସୁପ୍ରିମ କୋର୍ଟ କହିଛନ୍ତି ରେମଡେସିଭର୍‌ ଓ ଫାବିପାରିଭିରକୁ କୋଭିହ୍‌-୧୯ର ଚିକିତ୍ସା ପାଇଁ ଜୀବନରକ୍ଷାକାରୀ ଔଷଧ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରି ସାରିଛନ୍ତି। ଏହି ଔଷଧ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଛି। ତେଣୁ ଏହାକୁ ନେଇ ସାଧାରଣରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଅନୁଚିତ। ଏ ସମ୍ପର୍କିତ ଏକ ମାମଲାର ବିଚାର କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ। ଖଣ୍ଡପୀଠ କହିଛନ୍ତି ଡ୍ରଗ୍‌ ଓ କ୍ଲିନିକାଲ୍‌ ଟ୍ରାଏଲ୍‌ ନିୟମ ୨୦୧୮ ଅନୁଯାୟୀ କରୋନା ଭାଇରସ୍‌ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧର ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି। ଭାରତ ସରକାରଙ୍କ ଅନୁମୋଦନ ରହିଥିବାରୁ ଏହାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ।

ମତାମତ ଦିଅନ୍ତୁ ।