ବସ୍ ଟର୍ମିନାଲ ପାଇଁ ବିସ୍ଥାପିତ ହେବେ ଖାନନଗରବାସୀ !

ଭୁବନେଶ୍ଵର : କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନିଜ ବ୍ଲୁ-ପ୍ରିଣ୍ଟ ଅନୁସାରେ ସ୍ଥାପନ କରିବା ଜିଦରେ ରାଜ୍ୟ ସରକାର ଅଟଳ ରହିଛନ୍ତି। ସ୍ଥାନୀୟ ଖାନନଗରବାସୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ପ୍ରସ୍ତାବିତ ସ୍ଥାନରେ ବସ୍ ଟର୍ମିନାଲ ସ୍ଥାପନ କରିବା ସହ କଟକସ୍ଥିତ ପ୍ରେସଛକରୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରିଙ୍ଗରୋଡକୁ ୬ଲେନ୍ ବିଶିଷ୍ଟ ରାସ୍ତା କରିବା କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ରିଙ୍ଗରୋଡ୍ ପାଇଁ ଖାନନଗରବାସୀ ଓ ଅନେକ ବ୍ୟବସାୟୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିବାର ଆଶଙ୍କା ଦେଖାଦେଇଛି। ବିସ୍ଥାପିତ ହେବାର ଆଶଙ୍କା ସତ୍ତ୍ୱେ ସରକାର ଏହି ରାସ୍ତା ନିର୍ମାଣ ନିମନ୍ତେ ତୁରନ୍ତ ଟେଣ୍ଡର ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ହେମନ୍ତ କୁମାର ପାଢ଼ୀ ଆଜି କଟକ ଜିଲ୍ଲାପାଳ ଓ କଟକ ମହାନଗର କମିଶନରଙ୍କ ସମେତ କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ରାଜ୍ୟ ସଡ଼କ ଓ ପରିବହନ ସଚିବ, ଅର୍ଥ ସଚିବ, ନଗର ଉନ୍ନୟନ ସଚିବ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି କଟକରେ ନୂଆ ବସ୍ ଟର୍ମିନାଲ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ନେଇ ଅବଗତ କରିଛନ୍ତି। ଏହି ବସ୍ ଟିର୍ମନାଲ ପାଇଁ ନଗର ଉନ୍ନୟନ ବିଭାଗ ବଜେଟ୍ ବ୍ୟୟବରାଦ କରିବ। ଏହି ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ବସ୍ ଟର୍ମିନାଲକୁ ରାସ୍ତା ସଂଯୋଗ ନିମନ୍ତେ ରିଙ୍ଗରୋଡରେ ପ୍ରେସ୍ ଛକଠୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରାସ୍ତାକୁ ୬ଲେନ୍ ବିଶିଷ୍ଟ ଭାବେ ବିକଶିତ କରାଯିବ। ପୂର୍ତ୍ତ ବିଭାଗ ଏହି ରାସ୍ତା କାମ ନିମନ୍ତେ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରିବ। ନେତାଜୀ ବସ୍ ଟର୍ମିନାଲ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ଅନୁସାରେ ପ୍ରାୟ ୨ଏକର ଜମିରେ ପିପିପି ମଡେଲରେ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ କରାଯିବ। ଏହି କାର୍ଯ୍ୟ ମଧ୍ୟ ଏକ ସମୟରେ ହେବ। ପ୍ରକଳ୍ପ ନିର୍ମାଣ ଶେଷ ହେବାପରେ ଉକ୍ତ ବସ୍ ଟର୍ମିନାଲକୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)କୁ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ହସ୍ତାନ୍ତର କରାଯିବ। ଏହି ପ୍ରସ୍ତାବିତ ବସ୍ ଟର୍ମିନାଲର ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟକ୍ଷମ ହେବାପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ତଦାରଖ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ ତଦାରଖ କରିବ। କଟକସ୍ଥିତ ଅନୁଗୁଳ ବସଷ୍ଟାଣ୍ଡ, ପୁରୀ ବସଷ୍ଟାଣ୍ଡ ଓ ବାଦାମବାଡ଼ି ଜମିକୁ କିଭଳି ଉପଯୋଗ କରାଯିବ ତା’ର ଆଡଭାନ୍ସ ପ୍ଲାନି ପୂର୍ତ୍ତ ବିଭାଗକୁ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button