ରିଙ୍କି ହତ୍ୟା ମାମଲା : ବାହା ହେବାକୁ ଜିଦ୍ ଧରୁଥିଲା ଜଗନ୍ନାଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡରେ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୮ ଦିନ ବିତିଯାଇଛି। ହତ୍ୟାର କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ତଦନ୍ତକାରୀ ଟିମକୁ ମିଳୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ଏ ମଧ୍ୟରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରିଙ୍କିଙ୍କ ଶରୀରରେ ଏକାଧିକ ଆଘାତ ରହିଥିବା ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଗନ୍ନାଥ-ରିଙ୍କିଙ୍କ ସମ୍ପର୍କ ଭାଙ୍ଗି ପୁଣି ଯୋଡ଼ିହେବା ପରେ ପରସ୍ପର ଅତି ନିକଟତର ହୋଇଥିଲେ। ଜଗନ୍ନାଥ ପ୍ରଧାନ ତାଙ୍କୁ ବିବାହ କରିବାକୁ ଏକତରଫା ନିଷ୍ପତ୍ତି ନେଇ ଏକାଧିକ ଥର ପ୍ରସ୍ତାବ ଦେଇଥିଲା। କିନ୍ତୁ ରିଙ୍କି ଏଥିରେ ଅରାଜି ହେବାରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପୋଲିସ ହାତରେ ଅଭିଯୁକ୍ତ ଜଗନ୍ନାଥର ମୋବାଇଲ ହ୍ଵାଟ୍ସଆପ୍ ଚାଟ୍‌ରୁ ଏଭଳି ତଥ୍ୟ ମିଳିଛି।

ସେହିପରି ପୂର୍ବରୁ ରିଙ୍କିଙ୍କ ଘରକୁ ଯିବା ଆସିବା କରୁଥିବା ଜଗନ୍ନାଥକୁ ଆଉ ନ ଆସିବାକୁ ରିଙ୍କି କହିଥିଲେ। କାରଣ ଲକ୍‌ଡାଉନ୍‌ରେ ସ୍ୱାମୀ ରାକେଶଙ୍କର ‘ଓ୍ଵାର୍କ ଫ୍ରମ୍ ହୋମ୍’ ଆରମ୍ଭ ହୋଇଥିବାରୁ ସେ ଅଧିକାଂଶ ସମୟ ଘରେ ରହୁଥିଲେ। ସେଥିପାଇଁ ରିଙ୍କି ତାଙ୍କୁ ଫୋନ୍ କରିବା ପାଇଁ ବାରଣ କରିଥିଲେ। ଏପରିକି ଜଗନ୍ନାଥର ଫୋନ୍, ଏସ୍ଏମ୍‌ଏସ୍ କିମ୍ବା ହ୍ଵାଟ୍ସଆପ୍ ଚାଟ୍‌ର ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦୁଇମାସରୁ ଅଧିକ ଦିନ କୌଣସି ଉତ୍ତର ନ ପାଇ ଜଗନ୍ନାଥ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା। ଧୋକା ଖାଇଥିବା ଅନୁଭବ କରି ରିଙ୍କି ଓ ତାଙ୍କ ପୁଅଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଘଟଣା ଦିନ ଜଗନ୍ନାଥ ସାଙ୍ଗରେ ସିନ୍ଦୂର ଫରୁଆ ଓ ଶଙ୍ଖା ଧରି ଆସିଥିବା ସନ୍ଦେହ କରାଯାଉଛି। ରିଙ୍କିଙ୍କ ମୃତଦେହ ନିକଟରେ ସିନ୍ଦୂର ଫରୁଆ ପଡ଼ିଥିଲା ଓ ତାଙ୍କ ମଥାରେ ଅସ୍ୱାଭାବିକ ଭାବେ ସିନ୍ଦୂର ଲାଗିଥିଲା। ତେଣୁ ମାରିବା ପୂର୍ବରୁ ଜଗନ୍ନାଥ ରିଙ୍କିଙ୍କ ମୁଣ୍ଡରେ ଜୋରଜବରଦସ୍ତ ସିନ୍ଦୂର ପିନ୍ଧାଇଥିବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।

ଏହାଛଡା ରିଙ୍କିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରରେ ଏକାଧିକ ଆଘାତ ଥିବା ଜଣାପଡ଼ିଛି। ବାମ ହାତରେ ଲାଗିଛି ଛୁରାମାଡ଼ର ଗଭୀର ଆଘାତ। ଏଥିରୁ ଅନୁମାନ କରାଯାଉଛି ଅଭିଯୁକ୍ତ ଜଗନ୍ନାଥ ଛାତି କିମ୍ବା ବେକକୁ ଆକ୍ରମଣ କରିବା ସମୟରେ ରିଙ୍କି ବାମ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ପ୍ରଥମ ଛୁରି ଆଘାତ ତାଙ୍କ ବାମ ହାତରେ ବାଜିଥିଲା। ସେହିପରି ରିଙ୍କିଙ୍କ ଶରୀରରେ ନଖର ରାମ୍ପୁଡ଼ା ଦାଗ ରହିଥିବା ବେଳେ ଜଗନ୍ନାଥର ଶରୀରରେ ମଧ୍ୟ କିଛି ନଖ ଦାଗ ରହିଛି। ସମ୍ଭବତଃ ଜଗନ୍ନାଥ ହାତରୁ ବର୍ତ୍ତିବା ପାଇଁ ରିଙ୍କି ପ୍ରାଣପଣେ ଉଦ୍ୟମ କରିଥିଲେ। ସେମାନଙ୍କ ଭିତରେ ଧସ୍ତାଧସ୍ତି ସମୟରେ ଏହି ଦାଗ ହୋଇଥାଇପାରେ। ଶେଷରେ ଜଗନ୍ନାଥ ରିଙ୍କିଙ୍କ ଗଳାକୁ ଧାରୁଆ ଛୁରିରେ ଗଭୀର ଭାବେ କାଟି ଦେଇଛି। ଏଥିଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏବେ ଜଗନ୍ନାଥ ଆଇସିୟୁରେ ଚିକିତ୍ସିତ ହେଉଥିବାରୁ ସୁସ୍ଥ ହୋଇ ଡିସଚାର୍ଜ ହେଲା ପରେ ପୋଲିସ ବୟାନ ରେକର୍ଡ କରି ଘଟଣା ଲୋକଲୋଚନକୁ ଆଣିବ ବୋଲି ଆଶା ଆରାଯାଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.