ରିଆଙ୍କ ମିଛ ପ୍ରମାଣିତ କଲା ହ୍ୱାଟ୍ସଆପ୍ ଚାଟ୍‌

ମୁମ୍ୱାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ କଥା ପଦାକୁ ଆସିଛି। ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍‌ଆପ୍‌ ଚାଟ୍‌ ପୋଲିସକୁ ମିଳିଛି। ଏଥିରୁ ଜଣାପଡୁଛି ତଦନ୍ତ ସମୟରେ ରିଆ ମିଛ କହିଥିଲେ। ଆଉ ସ୍ପଷ୍ଟ ହୋଇଯାଇଛି ରିଆ ସୁଶାନ୍ତଙ୍କ ଘର ଛାଡ଼ିଥିଲେ।

ପୂର୍ବରୁ ରିଆ କହିଥିଲେ ଡିପ୍ରେସନ ଯୋଗୁଁ ସୁଶାନ୍ତ ସିଂହ ରାଜପୁତ ଚିନ୍ତାରେ ରହୁଥିଲେ। ସେ ସୁଶାନ୍ତଙ୍କୁ ଛାଡ଼ିବାକୁ ଚାହୁଁ ନଥିଲେ। କିନ୍ତୁ ସୁଶାନ୍ତ କହିବା ପରେ ସେ ଜୁନ୍‌ ୮ ତାରିଖରେ ତାଙ୍କ ଘର ଛାଡ଼ିଥିଲେ।
ଆଉ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ଭଉଣୀ ଦୁର୍ବ୍ୟବହାର କରିବାରୁ ସେ ଘର ଛାଡ଼ିଥିଲେ। କିନ୍ତୁ ମହେଶ ଭଟ୍ଟ ଓ ରିଆଙ୍କ ହ୍ୱାଟସ୍‌ଆପ୍‌ ଚାଟ୍‌ କିଛି ଭିନ୍ନ ଦିଗକୁ ଇସାରା କରୁଛି।

ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଘର ଛାଡ଼ିବା ପରେ ମହେଶ ଭଟ୍ଟଙ୍କୁ ମେସେଜ୍‌ କରିଥିଲେ ରିଆ। ମହେଶ ଭଟ୍ଟଙ୍କ ଫିଲ୍ମ ‘ଜଲେବି’ରେ ରିଆ ଆୟେଶା ଭୂମିକାରେ ଅଭିନୟ କରିଥିଲେ। ଚାଟ୍‌ରେ ଆୟେଶା ନାମ ନେଇ ରିଆ ଲେଖିଥିଲେ ଆୟେଶା ଏବେ ଆଗକୁ ବଢ଼ିସାରିଛି ସାର୍‌। ଆପଣଙ୍କ ସହିତ ଦୃଢ଼ ମନ ଓ ଶାନ୍ତିରେ ଯେଉଁ କଥା ହୋଇଥିଲି ସେଥିରେ ମୋ ଆଖି ଖୋଲିଗଲା। ଆପଣ ମୋ ଏଞ୍ଜେଲ୍‌। ଆପଣ ସେବେ ଥିଲେ, ଏବେ ବି ଅଛନ୍ତି। ଅନ୍ୟ ଏକ ମେସେଜ୍‌ରେ ରିଆ ଲେଖିଛନ୍ତି ଆପଣ ପୁଣିଥରେ ମୋତେ ସ୍ୱାଧୀନ କରିଛନ୍ତି। ଆପଣ ମୋ ଜୀବନରେ ଭଗବାନ ସଦୃଶ।

ଏହାର ଜବାବରେ ମହେଶ ଭଟ୍ଟ ଲେଖିଛନ୍ତି ଏବେ ପଛକୁ ଚାହିଁ ଦେଖନାହିଁ। ତୁମ ବାପାଙ୍କୁ ମୋର ବହୁତ ଭଲପାଇବା ଦେବ। ଏବେ ତୁମ ବାପା ବହୁତ ଖୁସି ହେବେ। ଏହି ଚାଟ୍‌ରୁ ପ୍ରମାଣିତ ହେଉଛି ସୁଶାନ୍ତଙ୍କ ସହିତ ସମ୍ପର୍କକୁ ନେଇ ରିଆଙ୍କ ବାପା ଖୁସି ନଥିଲେ। ତେଣୁ ସୁଶାନ୍ତଙ୍କୁ ଛାଡ଼ି ରିଆ ଚାଲି ଆସିଥିଲେ। ମହେଶ ଭଟ୍ଟ ଓ ରିଆଙ୍କର ହ୍ୱାଟସ୍‌ ଆପ୍‌ ଚାଟ୍‌ ପୋଲିସକୁ ମିଳିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମହେଶଙ୍କ ସମ୍ପୃକ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିବିଆଇ ତଦନ୍ତ ପରେ ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଆଶା କରିଛନ୍ତି।

ମତାମତ ଦିଅନ୍ତୁ ।