ରୋଗୀକୁ ଟ୍ରଲିରେ ବୋହିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନମୁନା : କଂଗ୍ରେସ

ଭୁବନେଶ୍ୱର : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଂଚାୟତର କବୀର ଭୋଇ ଗୁରୁତର ପତ୍ନି ସୁକାନ୍ତୀ ଭୋଇଙ୍କୁ ଟ୍ରଲିରେ କଟକ ବଡ ଡାକ୍ତଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଏହା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏକ ନମୁନା।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ୧୦୮ ଆମ୍ବୁଲାନ୍‌ସ ସେବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିବା ସହିତ ମୃତ ସୁକାନ୍ତିର ପରିବାରବର୍ଗଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପୁରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନଙ୍କର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ସୁକାନ୍ତୀର ରୋଗ ଚିହ୍ନଟ ନକରିପାରି ତାଙ୍କୁ କଟକ କିମ୍ବା ଭୁବନେଶ୍ୱରକୁ ପଠାଇବା ପରିବର୍ତ୍ତେ କ’ଣ ପାଇଁ ଘରକୁ ପଠାଇ ଦେଇଥିଲେ। ଏହାଛଡା କବୀର ପରିବାରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ ।