Breaking Newsଦେଶ-ବିଦେଶ

ଋଷ ପ୍ରଥମେ ବଜାରକୁ ଆଣିବ କରୋନା ଟିକା

ନୂଆଦିଲ୍ଲୀ : ସମଗ୍ର ବିଶ୍ଵରେ ମୃତ୍ୟୁର ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଚଳାଇଛନ୍ତି। ଟିକା ପ୍ରସ୍ତୁତିରେ ଚାଲିଛି ପ୍ରତିଯୋଗିତା। ଏହି ଦୌଡରେ ଋଷିଆ ଆଗରେ ରହିଛି। ଆସନ୍ତା ୧୨ ଦିନ ମଧ୍ୟରେ ଋଷ କରୋନା ଟିକା ବଜାର ପ୍ରବେଶ କରିବାକୁ ଯାଉଛି। ସେଥିପାଇଁ ଏହି ଟିକା ଡୋଜ୍‌ ନେବାକୁ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାନାଡ଼ା ଓ ଇସ୍ରାଏଲ ଭଳି ଧନୀ ରାଷ୍ଟ୍ରର ଅନେକ ଔଷଧ କମ୍ପାନି ଚୁକ୍ତି କରିଥିବା ଜଣାପଡିଛି।

ଖବର ଅନୁଆଯାୟୀ ଋଷିଆ ପ୍ରଥମେ କରୋନା ଟିକା ଦୌଡ଼ରେ ନଥିଲା। ଆଗରେ ରହିଥିଲେ ଚୀନ, ବ୍ରିଟେନ ଓ ଆମେରିକା। କିନ୍ତୁ ଋଷିଆ ଏବେ ପ୍ରଥମେ ଟିକା ଆଣିବାକୁ ଯାଉଛି। ଆସନ୍ତା ୧୨ ଦିନରେ ବିଶ୍ୱରେ କରୋନା ଟିକା ଲଞ୍ଚ କରିବ ବୋଲି ଋଷିଆ ଦାବି କରିଛି। ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ ଦ୍ଵାରା ବିକଶିତ କରୋନା ଟିକା ଅଗଷ୍ଟ ୧୦-୧୨ ପୂର୍ବରୁ ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି କହିଛି। ପ୍ରଥମେ ଟିକା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ। ଏହାସହ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିବ ବୋଲି କୁହାଯାଇଛି।

ଆମେରିକାର ବିଶିଷ୍ଟ ମହାମାରୀ ବିଶେଷଜ୍ଞ ଆନ୍ଥୋନି ଫସି କହିଛନ୍ତି ୨୦୨୦ର ଶେଷସୁଦ୍ଧା ବିଶ୍ୱରେ ଏକ ନିରାପଦ ତଥା ପ୍ରଭାବୀ ଟିକା ଉପଲବ୍ଧ ହୋଇଯିବ। ତାଙ୍କ ସୂଚନା ହେଲା ବର୍ଷ ଶେଷ ସୁଦ୍ଧା କରୋନା ଟିକା ବାସ୍ତବତାର ରୂପ ନେବାକୁ ଯାଉଛି। ମୋ ମତରେ ଏହା ହିଁ ସତ୍ୟ। ଆମେରିକା ପକ୍ଷରୁ ‘ଅପରେସନ ୱାର୍ପ ସ୍ପିଡ’ ନାମକ ଏକ ଟିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି
ଆମେରିକାର ବାୟୋଫାର୍ମା କମ୍ପାନି ମଡେର୍ଣ୍ଣା ଥେରାପ୍ୟୁଟିକ୍ସ ଦ୍ୱାରା ବିକଶିତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି। କମ୍ପାନିର ଏମ୍‌ଆର୍‌ଏନ୍‌ଏ-୧୨୭୩ ଟିକାକୁ ୩୦,୦୦୦ ଲୋକଙ୍କୁ ଦିଆଯାଇଛି। ସମସ୍ତେ ସୁସ୍ଥ ଅଛନ୍ତି। କରୋନା ବିରୋଧରେ ଲଢ଼ିବା ପାଇଁ ଏହି ଟିକା ଆଣ୍ଟିବଡି ତିଆରି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି। ତେବେ ପୂର୍ବରୁ କମ୍ପାନି ଆଗୁଆ ଉତ୍ପାଦନ ପାଇଁ ନିଷ୍ପତ୍ତି ନେଇଛି। ୨୦୨୧ ପ୍ରାରମ୍ଭରୁ ପ୍ରତିବର୍ଷ କରୋନା ଟିକାର ୫୦ କୋଟି ଡୋଜ ଯୋଗାଣ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ଟିକା ଉତ୍ପାଦନ ଲାଗି ସ୍ୱିସ କମ୍ପାନି ଲା ସହ ଚୁକ୍ତି କରିଛି।

ଡିସେମ୍ୱର ସୁଦ୍ଧା ଫାଇଜର ଓ ବାୟୋଏନ୍‌ଟେକ କରୋନା ଟିକା ଆଣିବେ ବୋଲି ଘୋଷଣା କରିଛନ୍ତି। ଜୁଲାଇ ୨୭ରୁ ଏହି ଟିକାର ୨ୟ ଓ ତୃତୀୟ ପର୍ଯ୍ୟାୟ ମିଳିତ ପରୀକ୍ଷଣ ଜାରି ରହିଛି। ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା ଓ ଜର୍ମାନୀରେ ୩୦,୦୦୦ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି । ଅକ୍ଟୋବରରେ ଏହି ଟିକାର ନିୟାମକ ମଞ୍ଜୁରି ହାସଲ ପାଇଁ କମ୍ପାନି ପ୍ରସ୍ତୁତି ଚଳାଇଛି। କମ୍ପାନି ୨୦୨୧ ଶେଷସୁଦ୍ଧା ୧୩୦ କୋଟି ଡୋଜ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ଟ୍ରାଏଲ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି। କାନପୁରର ରାଣା ହସ୍ପିଟାଲ ଆଣ୍ଡ ଟ୍ରମା ସେଣ୍ଟରରେ ମୋଟ ୯ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା। ଟିକା ନେବା ପରେ ସେମାନଙ୍କ ସ୍ଥିତି ଠିକଠାକ ରହିଛି। ଏବେ କୋଭାକ୍ସିନର ଟ୍ରାଏଲ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସ୍ୱେଚ୍ଛାସେବୀ ହେବାହୁ ସେମାନେ ଆଗ୍ରହ କରୁଛନ୍ତି। ସେଥିପାଇଁ ଅନେକଙ୍କୁ ପଞ୍ଜୀକରଣ କରାଯାଇଛି। ହାଇଦ୍ରାବାଦର ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବେ ଏହି ଟିକାର ବିକାଶ କରିଛନ୍ତି।

ଏହା ବ୍ୟତୀତ କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ଦୁଇଟି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଉଛି। ଦେଶର ସିନୋଫାର୍ମ ଓ ସିନୋଭାକ ଏହି ଟିକା ବିକାଶ କରିଛନ୍ତି। ଟିକାଦ୍ୱୟର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବା କମ୍ପାନି ଦାବି କରିଛନ୍ତି। ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକାର ପରୀକ୍ଷଣ ୟୁଏଇରେ ହେଉଛି। ଯେଉଁଠାରେ ୨୦୦ ପୃଥକ ପୃଥକ ଦେଶର ଲୋକଙ୍କୁ ଏହି ଟିକା ଦିଆଯାଇଥିଲା। ଏହାର ପ୍ରତିକ୍ରିୟା ଭଲ ରହିଥିବା କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button