ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ : ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ ଋଷିଆ କରିଛି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ କରୋନା ଟିକା ଦିଆଯାଇଛି। ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରିଛନ୍ତି। ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ।
ସୂଚନାଯୋଗ୍ୟ ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଦିଆଯାଇଥିଲା ଟିକା। ଟିକା ନେବାପରେ ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା। ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା। ତେବେ ରୁଷ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇନାହିଁ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ପ୍ରସ୍ତୁତି ଲାଗି ପ୍ରଦତ୍ତ ଗାଇଡଲାଇନକୁ ରୁଷ ଅନୁସରଣ କରିନାହିଁ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି। ସେହିପରି ଋଷିଆ କରୋନା ଗବେଷଣା ଜ୍ଞାନକୌଶଳ ଚୋରିକରିଛି ବୋଲି ବ୍ରିଟେନ ଓ ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଥିବା ବେଳେ ଋଷିଆ ସରକାର ଏହାକୁ ଖଣ୍ଡନ କରିଛନ୍ତି।