ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ରାସ୍ତା ଦୁର୍ଘଟଣାରେ ଜୀବନହାନି ରୋକିବାକୁ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ଫଳପ୍ରସୂ ଯୋଜନା ପ୍ରସ୍ତୁତ କର।

ସୋମବାର ଲୋକସେବା ଭବନରେ ସଡକ ନିରାପତ୍ତାସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ସଡକ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ଜିଲ୍ଲାରେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ ଜାତୀୟସ୍ତରରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁ ପ୍ରତିବର୍ଷ ଜିଡିପିର ପ୍ରାୟ ୩.୧୪ ଶତକଡା କ୍ଷତି ହେଉଛି। ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ। ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୧୮ରୁ ୪୫ ବର୍ଷୀୟ ହେଉଛନ୍ତି ଭିନ୍ନକ୍ଷମ। ଓଡ଼ିଶାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଭିତରୁ ଶତକଡା ୪୧ ଭାଗ ହେଲମେଟ୍ ନ ପିନ୍ଧିବା କାରଣରୁ ହେଉଥିବା ବେଳେ ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ଘଟୁଛି।

୨୦୧୯ରେ ପ୍ରାୟ ୨୩୯୭ ଜଣ ୨ ଚକିଆ ଯାନ ଚାଳକ ହେଲମେଟ୍ ପିନ୍ଧି ନଥିବା କାରଣରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି। ୨୦୧୯ରେ ସମୁଦାୟ ୫୩୩୩ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଛି। ୨୦୨୦ରେ ଏହି ସଂଖ୍ୟା ୧୧ ଶତକଡା ହ୍ରାସ ପାଇଛି। ତେଣୁ ରାସ୍ତାରେ ସଡକ ଦୁର୍ଘଟଣାକୁ କମାଇବାକୁ ଯାଇ ମୁଖ୍ୟ ଶାସନ ସଚିବ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ସଂଯୋଗ ସ୍ଥାନ ପୂର୍ବରୁ ରମ୍ବଲ ଓ ସତର୍କ ସୂଚନା ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button