ସଦସ୍ୟଙ୍କ ଆପତ୍ତିଜନକ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପ ଆଡମିନ୍‌ ଦାୟୀ ନୁହନ୍ତି

ମୁମ୍ବାଇ : ହ୍ଵାଟ୍ସଆପ୍‌ ଗ୍ରୁପରେ ସଦସ୍ୟଙ୍କ ପକ୍ଷରୁ ଆପତ୍ତିଜନକ ପୋଷ୍ଟ କରାଗଲେ ସେଥିପାଇଁ ଆଡମିନ୍ ଦାୟୀ ରହିବେ ନାହିଁ। ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ୍‌ ଗ୍ରୁପର ବ୍ୟବହାର ବଢିବାରେ ଲାଗିଛି। ସରକାରୀ କିମ୍ବା ଘରୋଇ ସଂସ୍ଥାରେ କାର୍ଯ୍ୟରେ ଉତ୍ତମ ସମନ୍ଵୟ ପାଇଁ ଏହା ନେଇଛି ଗୁରୁତ୍ଵପୂର୍ଣ୍ଣ ଭୂମିକା। ସାଙ୍ଗସାଥୀଙ୍କୁ ନେଇ ମଧ୍ୟ କରାଯାଉଛି ହ୍ଵାଟ୍ସଆପ୍‌ ଗ୍ରୁପ। କିନ୍ତୁ ଉଦ୍ଦେଶ୍ୟମୂଳକ କିମ୍ବା ଭୁଲବଶତଃ ହେଉ ଗ୍ରୁପରେ ଆପତ୍ତିଜନକ ପୋଷ୍ଟ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ହେଲେ ବମ୍ବେ ହାଇକୋର୍ଟଙ୍କ ଏହି ପରିପ୍ରେକ୍ଷୀରେ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ ନାଗପୁର ଖଣ୍ଡପୀଠ କହିଛନ୍ତି ହ୍ଵାଟ୍ସଆପ୍‌ରେ ଅନ୍ୟ ସଦସ୍ୟ ପକ୍ଷରୁ ଆପତ୍ତିଜନକ ପୋଷ୍ଟ କରାଗଲେ ସେଥିପାଇଁ ଆଡମିନ୍ ଦାୟୀ ରହିବେ ନାହିଁ।

ଅଦାଲତ ଜଣେ ହ୍ଵାଟ୍ସଆପ୍ ଆଡମିନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଆବେଦନକାରୀ କିଶୋର ତରୋନେ ଗୋନ୍ଦିଆ ଜିଲ୍ଲାରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ରୁଜୁ ହୋଇଥିବା ମାମଲା ଖାରଜ କରିବାକୁ ନିବେଦନ କରିଥିଲେ। ବିଚାରପତି ଜେଡଏ ହକ୍‌ ଓ ବିଚାରପତି ଏବି ବୋରକରଙ୍କ ଖଣ୍ଡପୀଠ କହିଛନ୍ତି ହ୍ଵାଟ୍ସଆପ୍‌ର ଆଡମିନ୍ ପାଖରେ କେବଳ ଗ୍ରୁପର ସଦସ୍ୟଙ୍କୁ ଯୋଡିବା ଓ ହଟାଇବା ଅଧିକାର ରହିଥାଏ। ଗ୍ରୁପରେ କେଉଁ ପ୍ରକାର ବିଷୟବସ୍ତୁ ପୋଷ୍ଟ ହେବ ଓ ଏହାକୁ ନିୟନ୍ତ୍ରଣ ବା ରୋକିବାର କ୍ଷମତା ଆଡମିନ୍ ପାଖରେ ନାହିଁ। କୌଣସି ହ୍ଵାଟ୍ସଆପ୍‌ ଗ୍ରୁପରେ ଅନ୍ୟ ସଦସ୍ୟ ଦ୍ଵାରା ହେଉଥିବା ଆପତ୍ତିଜନକ ପୋଷ୍ଟ ପାଇଁ ଆଡମିନ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଉଚିତ୍ କି ନୁହେଁ ? ଏହାପରେ କୋର୍ଟ ତରୋନେଙ୍କ ବିରୋଧରେ ରୁଜୁ ଏଫଆଇଆର ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button