ସାହିତ୍ୟ ଅକାଡେମୀ ପୁରସ୍କାର ୨୦୨୦ : ୨୦ ଶ୍ରେଷ୍ଠ ଲେଖକଙ୍କ ମଧ୍ୟରେ ବୀରାପ୍ପା ମୋଇଲୀ ଓ ଅରୁନ୍ଧତୀ ସୁବ୍ରମଣ୍ୟମ

0

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଅକାଡେମୀ ପୁରସ୍କାର-୨୦୨୦ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଆ ଭାଷା ଲାଗି ମୁଖ୍ୟ ପୁରସ୍କାର ଘୋଷଣା ହୋଇନଥିଲେ ହେଁ ବାଲ୍‌ ଓ ଯୁବ ସାହିତ୍ୟରେ ପୁରସ୍କାର ଘୋଷଣା ହୋଇଛି। ବାଲ୍‌ ସାହିତ୍ୟରେ ପିଲାଙ୍କ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ରାମଚନ୍ଦ୍ର ନାୟକ ଓ ଯୁବ ସାହିତ୍ୟରେ ପ୍ରବନ୍ଧ ‘ଚେତନାର ଅନ୍ୱେଷଣ’ ଲାଗି ଚନ୍ଦ୍ରଶେଖର ହୋତା ପୁରସ୍କାର ପାଇବେ। ୧୯୫୦ ଜୁଲାଇ ୯ରେ ଜନ୍ମିତ କେନ୍ଦୁଝର ଜିଲ୍ଲା ଘଷିପୁରା ଅତାସାହିର ଶ୍ରୀ ନାୟକ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ଶିକ୍ଷକତା ସହିତ ସେ ସାହିତ୍ୟ ସାଧନା କରିଆସି ବେଳେ ଅବସର ପରେ ମଧ୍ୟ ଏହାକୁ ଜାରି ରଖିଛନ୍ତି।

ସେହିପରି ବଲାଙ୍ଗୀର ଜିଲ୍ଲାର ଗୁଜିଭଟା ଗ୍ରାମରେ ଜନ୍ମିତ ଶ୍ରୀ ହୋତା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗବେଷଣା କରିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଉପରେ ସେ କରିଛନ୍ତି ଗବେଷଣା। ଓଡ଼ିଶା ପୋଲିସ୍‌ରେ ଉଚ୍ଚ ପଦରେ ଅବସ୍ଥାପିତ ଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଅଛନ୍ତି। ତାଙ୍କ ଦ୍ୱାରା ରଚିତ ‘କଳ୍ପନା ଅନୁଭବ ଓ ସାହିତ୍ୟ’ ଏବଂ ‘ଚେତନାର ଅନ୍ୱେଷଣ’ ପରି ପ୍ରବନ୍ଧ ଆଦୃତି ଲାଭ କରିଛି।

ରାଜନୈତିକ ଲେଖକ ଏମ ବିରାପ୍ପା ମୋଇଲୀ ଓ କବି ଅରୁନ୍ଧତୀ ସୁବ୍ରମଣ୍ୟମଙ୍କୁ ମିଳିଛି ସାହିତ୍ୟ ଅକାଡେମୀ ପୁରସ୍କାର। ସୁବ୍ରମଣ୍ୟମ ଇଂରାଜୀରେ ହ୍ୱେନ୍ ଗଡ୍ ଇଜ୍ ଏ ଟ୍ରାଭେଲର୍ ଓ ବୀରାପ୍ପା ମୋଇଲି ଫେଷ୍ଟିଭାଲ୍ ଅଫ୍ ଲେଟର୍ସ ପାଇଁ ପୁରସ୍କାର ପାଇଛନ୍ତି। ପୂର୍ବରୁ ଜୁରୀମାନଙ୍କ ଦ୍ୱାରା ମନୋନୀତ ପୁସ୍ତକ ତାଲିକାକୁ ଏକାଡେମୀ କାର୍ଯ୍ୟକାରୀ ପରିଷଦ ଗ୍ରହଣ କରିଥିଲେ। ଅକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସର୍ବସମ୍ମତିକ୍ରମେ ପୁରସ୍କାର ଘୋଷଣା ହୋଇଥିଲା। ସାହିତ୍ୟ ଅକାଡେମୀ ପୁରସ୍କାର ବାବଦରେ ମନୋନୀତ ସାରସ୍ୱତ ପ୍ରତିଭାମାନଙ୍କୁ ତାମ୍ରଫଳକ, ଉପଢ଼ୌକନ ଓ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ବାଲ୍‌ ଓ ଯୁବ ସାହିତ୍ୟ ପୁରସ୍କାର ଲାଗି ମିଳିବ ୫୦ ହଜାର ଟଙ୍କାର ଅର୍ଥରାଶି। ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ପୁରସ୍କୃତ କରାଯିବ ବୋଲି ପ୍ରେସ୍‌ ବିଜ୍ଞପ୍ତିରେ ଏକାଡେମୀ ସଚିବ ଡ. କେ. ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.