ସାବଧାନ ନହେଲେ ଅଧ୍ୟୟନର ବିଷୟ ପାଲଟିବ ଭାରତ !

॥ ଗୋପାଳ ମହାପାତ୍ର ॥ ପୃଥ୍ୱୀରାଜ ଚୌହାନ ଓ ଜୟଚନ୍ଦ୍ରଙ୍କ ବଂଶଜମାନେ ପରସ୍ପର ମଧ୍ୟରେ ଲଢେଇରେ ବ୍ୟସ୍ତ। ହିଂସା, ହତ୍ୟା ଏବଂ ଲୁଟ୍ ବଜାର ଗରମ। ମହମ୍ମଦ ଗଜନୀ ଓ ମହମ୍ମଦ ଘୋରୀଙ୍କ ବଂଶଧରମାନେ ମୁରୁକି ମୁରୁକି ହସୁଛନ୍ତି। ଲୁଟ୍‌ପାଟ୍ କରୁଛନ୍ତି ଓ ନିଜର ବଳ ବଢାଇବାରେ (ଭୋଟବ୍ୟାଙ୍କ) ଲାଗିଛନ୍ତି। ସର୍ବୋପରି ଭାରତ ବର୍ଷର ସମସ୍ତ ସନାତନ ପରମ୍ପରାକୁ ନିର୍ମୁଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ଚିକେନ୍ ନେକ୍ କାଟିବାର ଧମକ ମିଳିସାରିଲାଣି ତଥାପି ଜୟଚନ୍ଦ୍ର, ମାନସିଂହ ଓ ଜୟସିଂହଙ୍କ ଅନୁଗାମୀମାନଙ୍କର ଚେତା ପଶୁନାହିଁ। ସେମାନେ ମସ୍ତି କରୁଛନ୍ତି ଓ ତୈମୁର ମାନସିକତାର ଲୋକଙ୍କ ସହଯୋଗରେ ଶାସନ ସୁଖ ଭୋଗ କରିବାରେ ବ୍ୟସ୍ତ। ନିକଟରେ ପଶ୍ଚିମବଙ୍ଗରେ ବହୁମତରେ ଜିଣିବା ପରେ ଏମାନେ ଉନ୍ମାଦିତ ଓ ଆନନ୍ଦିତ ମଧ୍ୟ। ମହମ୍ମଦ ଘୋରୀ ଓ ଜୟଚନ୍ଦ୍ରଙ୍କ ଦୁରଭିସନ୍ଧି ଜାଣି ମଧ୍ୟ ବିଜୟ ଲାଭ କରିବାର ଆଶାରେ ଆଶ୍ୱସ୍ତ ପୃଥ୍ୱୀରାଜଙ୍କର ଧ୍ୱଜବାହକ ମାନଙ୍କର ଅତିରିକ୍ତ ଆତ୍ମମୁଗ୍ଧତା ଏବଂ ଅଦୂରଦର୍ଶିତା କାରଣରୁ ନିର୍ବାଚନ ରଣାଙ୍ଗନରେ ସେମାନଙ୍କର ଅଧିକ କ୍ଷତି ଘଟିଛି। କିନ୍ତୁ ସେମାନେ ରଣଭୂମିରେ ସେମାନଙ୍କର ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହୋଇଥିଲେ ବୋଲି ସ୍ପଷ୍ଟ। ୩ରୁ ୭୭ପର୍ଯ୍ୟନ୍ତର ଯାତ୍ରା ଏକ ବଡ଼ ଉପଲବ୍ଧି। ଏଥିସହିତ ଦେଶ ପାଇଁ ଏହା ଏକ ଶୁଭ ସଙ୍କେତ।

ଭାରତର ଇତିହାସରେ ପୃଥ୍ୱୀରାଜ, ଜୟଚନ୍ଦ୍ର ଓ ମହମ୍ମଦ ଘୋରୀ ହେଉଛନ୍ତି ୭୦୦ବର୍ଷର ପୁରୁଣା ଐତିହାସିକ ଚରିତ୍ର। କିନ୍ତୁ ଭାରତୀୟ ସମାଜରେ ଏହି ତିନିଜଣ ଜୀବିତ-ଜାଗୃତ ବ୍ୟକ୍ତିତ୍ୱ ଅଟନ୍ତି ଯାହାଙ୍କ କୃତିତ୍ୱ ସମାଜର ଜୀବନଶୈଳୀକୁ ସତତ ପ୍ରଭାବିତ କରିଥାଏ। ବସ୍ତୁତଃ ଏହା ଆମ ସମାଜର ତିନି ପ୍ରମୁଖ ଧାରା ଯାହାର ପ୍ରବାହ ବିଗତ ୭୦୦ବର୍ଷ ଧରି ଆମ ଜୀବନକୁ ନିରନ୍ତର ପ୍ରଭାବିତ କରି ଚାଲିଛି। ଭାରତ ବର୍ଷର ଇସଲାମିକରଣ ହେଉଛି। ଅନ୍ୟପକ୍ଷରେ ହିନ୍ଦୁ ସମାଜ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରିଚାଲିଛି। ସ୍ୱାଧୀନତା ପୂର୍ବରୁ ଏବଂ ପରର ଅସଂଖ୍ୟ ଘଟଣା ଏହାର ସାକ୍ଷୀ। ପଶ୍ଚିମବଙ୍ଗର ସମସାମୟିକ ହିଂସା ଘଟଣା ଭାରତୀୟ ସମାଜ ପାଇଁ ହିନ୍ଦୁ -ମୁସିଲିମ୍ ସଂଘର୍ଷର ଏକ ନୂତନ ସଂସ୍କରଣ। ଭାରତୀୟ ସମାଜ ଦୀର୍ଘ ସମୟ ହେବ ତିନି ଧାରାରେ ବିଭକ୍ତ। ପ୍ରଥମ ଧାରାର ଲୋକେ ଭାରତୀୟ ସଂସ୍କୃତିର ସୁରକ୍ଷା ପାଇଁ ସଂଘର୍ଷ କରୁଛନ୍ତି। ହଜିଯାଇଥିବା ନିଜର ପ୍ରତିଷ୍ଠା ପୁନର୍ବାର ପାଇବା ପାଇଁ ଚାହୁଁଛନ୍ତି। କିନ୍ତୁ ସଂଗଠନର ଅଭାବରୁ ଶାସନ ଠାରୁ ଦୂରରେ ରହିଯାଉଛନ୍ତି। ଦ୍ୱିତୀୟ ଧାରାର ଲୋକେ ବିଦେଶୀ ଆକ୍ରାମକ ଶକ୍ତିମାନଙ୍କ ସହାୟତାରେ ପ୍ରଥମ ଧାରାର ଲୋକଙ୍କ ସଂଘର୍ଷକୁ ନିଷ୍ଫଳ କରି ଶାସନ ଗାଦିରେ ବସୁଛନ୍ତି। ତୃତୀୟ ଧାରା ବିଦେଶୀ ମୂଳର ଆକ୍ରମଣକାରୀ ମାନଙ୍କର ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୯୦ପ୍ରତିଶତ ହେଉଛନ୍ତି ମୂଳତଃ ଭାରତୀୟ। କିନ୍ତୁ ଧର୍ମାନ୍ତରଣ କାରଣରୁ ସେମାନେ ତୁର୍କୀ ଏବଂ ଆରବର ଲୋକଙ୍କ ସହ ସମ୍ପର୍କ ଯୋଡି ନିଜକୁ ବିଜେତା ଭୂମିକାରେ ଦେଖିବାକୁ ଚାହୁଁଛନ୍ତି। ଏମାନଙ୍କ ଦୃଷ୍ଟିରେ ପ୍ରଥମ ପରମ୍ପରା ହେଉଛି ସେମାନଙ୍କର ଶତ୍ରୁ ଏବଂ ଦ୍ୱିତୀୟ ପରମ୍ପରା ହେଉଛି ମିତ୍ର। କାରଣ ସେମାନଙ୍କର ଲକ୍ଷ୍ୟ ‘ଗଜବା ଏୟ-ଏ-ହିନ୍ଦ୍। ଏହି ତିନି ଧାରା ମଧ୍ୟରେ ଲଢେଇ କାରଣରୁ ଭାରତୀୟ ସମାଜ ଅନେକ ସମୟରେ ତ୍ରସ୍ତ ଭୟଭୀତ ହୋଇପଡିଥାଏ।

ଭାରତ ବର୍ଷର ପ୍ରଥମ ସଶକ୍ତି ଧାରା ପରମ୍ପରାକୁ ପର୍ବତକ ଓ ଚନ୍ଦ୍ରଗୁନ୍ତ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିଥିଲେ। ଭାରତୀୟ ଭୂଖଣ୍ଡ ଓ ସଂସ୍କୃତି ପାଇଁ ଜୀବନକୁ ବାଜିଲଗାଇ ଦେଇଥିଲେ। ମହାରାଜା ପର୍ବତକ ତକ୍ଷଶୀଳାର ଯୁବରାଜ ଅମ୍ବିଙ୍କ ଭଳି ସିକନ୍ଦର (ଆଲେକଜାଣ୍ଡାର)ଙ୍କ ପାଇଁ ଭାରତର ଦ୍ୱାର ଖୋଲିନଥିଲେ। ଯୁଦ୍ଧ କରିଥିଲେ। ପରାଜୟ କାରଣରୁ ପର୍ବତକ ସିକନ୍ଦରଙ୍କ ସହ ସନ୍ଧି କରିବା ପାଇଁ ବାଧ୍ୟ ହୋଇଥିଲେ। ତଥାପି ରାଷ୍ଟ୍ରର ରକ୍ଷା ପାଇଁ ପର୍ବତକଙ୍କ ଉଦ୍ୟମ ପ୍ରଣାମଯୋଗ୍ୟ। ଚନ୍ଦ୍ରଗୁପ୍ତ ତାଙ୍କ ଗୁରୁ ଚାଣକ୍ୟଙ୍କ ମାର୍ଗଦର୍ଶନରେ ସେଲ୍ୟୁକସଙ୍କୁ ପରାଜିତ କରିଥିଲେ। ବିିଦେଶୀ ଆକ୍ରମଣକାରୀଙ୍କ ଠାରୁ ରାଷ୍ଟ୍ରର ରକ୍ଷାର ଦ୍ୱିତୀୟ ସଂଘର୍ଷ ପୃଥ୍ୱୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ଯୁଦ୍ଧରେ ଦେଖିବାକୁ ମିଳେ। ଘୋରୀଙ୍କ କୁଟଳିତା କାରଣରୁ ପୃଥ୍ୱୀରାଜ ପରାଜିତ ହୁଅନ୍ତି ଓ ପାଣ୍ଡବମାନଙ୍କର ଗୌରବଶାଳୀ ଇନ୍ଦ୍ରପ୍ରସ୍ଥ ବିଦେଶୀ ଆକ୍ରମଣକାରୀଙ୍କ ହାତକୁ ଚାଲିଯାଏ। କିଛିଦିନ ପରେ ବିଦେଶୀଙ୍କ ହାତରୁ ରାଷ୍ଟ୍ର ରକ୍ଷାର ଶପଥ ନେଇ ଆଲ୍ଲାଉଦ୍ଦିନ ଖିଲିଜଙ୍କମ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି ରାଓଲ ରତନସିଂହ ଓ ପଦ୍ମିନୀ। ଭାରତୀୟ ସ୍ୱତନ୍ତ୍ର ଚେତନାର ଜାଗରଣରେ ମେୱାର ମହାରାଣା ମାନଙ୍କର ଯୋଗଦାନ ମଧ୍ୟ ଅତୁଳନୀୟ। ମହାରାଣା ସାଙ୍ଗା, ମହାରାଣା କୁମ୍ଭା ଓ ମହାରାଣା ପ୍ରତାପ ପ୍ରମୁଖ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି। ପରବର୍ତ୍ତୀ ସମୟରେ ସଂଘର୍ଷର ଏହି ଧାରାକୁ ମହାରାଷ୍ଟ୍ରରେ ଶିବାଜୀ, ମଧ୍ୟଭାରତରେ ଛତ୍ରସାଲ ଏବଂ ପଞ୍ଜାବରେ ଶିଖଗୁରୁମାନେ ଆଗକୁ ନେଇଥିଲେ ଓ ମୋଗଲ ଶାସକ ମାନଙ୍କୁ ନାକେଦମ୍ କରିଥିଲେ। ବ୍ରିଟିଶ ବା ଇଂରେଜ ଶାସନ ବିରୁଦ୍ଧରେ ଏହି ଧାରାର ବୀରମାନେ ୧୮୫୭ର ସଂଗ୍ରାମର ରଚନା କରିଥିଲେ। ୧୮୫୭ର ସଂଗ୍ରାମ ବିଫଳ ହେବାର ବର୍ଷକ ପରେ କୁକା ଆନ୍ଦୋଳନ ଏବଂ ସଶସ୍ତ୍ର ସଂଗ୍ରାମରେ ଭାଗ ନେଇ ଚନ୍ଦ୍ରଶେଖର ଆଜାଦ୍‌, ଠାକୁର ରୋଶନ ସିଂହ, ରାମପ୍ରସାଦ ବିସମିଲ୍ଲା, ବାସୁଦେବ ବଳବନ୍ତ ଫଡ଼କେ, ମଦନଲାଲ ଧିଙ୍ଗରା, ଖୁଦିରାମ ବୋଷ, ପ୍ରଫୁଲ୍ଲଚନ୍ଦ୍ର ଚାକି ଆଦି ଅନେକ କ୍ରାନ୍ତିକାରୀ ଫାଶିରେ ଚଢିଥିଲେ। ଆବଶ୍ୟକୀୟ ସାଧନ ନଥାଇ ମଧ୍ୟ ସୁବାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି ଶତ୍ରୁର ଛାତି ଥରାଇ ଦେଇଥିଲେ। କଂଗ୍ରେସରେ ଏହି ଧାରାର ପ୍ରଭାବ ଲୋକମାନ୍ୟ ତିକଳ, ପଣ୍ଡିତ ମଦନ ମୋହନ ମାଲବ୍ୟ, କହ୍ନେୟାଲାଲ୍ ମାଣିକଲାଲ ମୁନସି ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ନେତାଙ୍କ ଠାରେ ଦେଖିବାକୁ ମିଳିଥିଲା। ଏଇ ଧାରାରେ କିଛି ମୁସଲମାନ ନେତା ମଧ୍ୟ ସାମିଲ ଥିଲେ ଯେଉଁମାନେ ଭାରତକୁ ନିଜର ଦେଶ ବୋଲି ଭାବୁଥିଲେ ଏବଂ ସନାତନ ପରମ୍ପରା ସହ ସଂଶ୍ଳିଷ୍ଟ ହୋଇ ରହିଥିଲେ। ଦାରାଶିକାଙ୍କ ଠାରୁ ଆରମ୍ଭ କରି ଆସଫାକ୍ ଉଲ୍ଲା ଖାଁ, ବୀର ଅବଦୁଲ ହମିଦ୍ ଏବଂ ଏପିଜେ ଅବଦୁଲ୍ କାଲାମଙ୍କ ଭଳି ଅସଂଖ୍ୟ ଭାରତୀୟ ମୁସଲମାନଙ୍କ କୃତିତ୍ୱ ଏକଥାର ମୁକସାକ୍ଷୀ।

ଭାରତର ସନାତନ ପରମ୍ପରା, ସାଂସ୍କୃତିକ ମାନ୍ୟତା, ଧାର୍ମିକ ପ୍ରତିଷ୍ଠାନ ଏବଂ ଜୈନ, ବୌଦ୍ଧ ଆଦି ଭାରତୀୟ ଚିନ୍ତନଧାରା ସବୁର ସ୍ଥିତି ପାଇଁ, ହିନ୍ଦୁତ୍ୱର ଅସ୍ତିତ୍ୱ ପାଇଁ ଏହି ଧାରା ସଂଘର୍ଷ କରି ଚାଲିଛି। ଏହି ପରମ୍ପରା ଧାରାର ଲୋକେ ସ୍ୱାଧୀନ ଭାରତରେ ଜରୁରୀକାଳୀନ ପରିସ୍ଥିତି ଦେଖିଛନ୍ତି ଏବଂ ଗୋଧ୍ରା ରେଳଷ୍ଟେସନରେ ଲୋକଙ୍କୁ ଜୀବନ୍ତ ଜଳାଇ ଦେବାର ଦୃଶ୍ୟ ମଧ୍ୟ ଦେଖିଛନ୍ତି। ରାଜନୈତିକ ବିଦ୍ୱେଷର ନିଆଁରେ ଆତ୍ମଗୌରବ ଏବଂ ସ୍ୱାଭିମାନକୁ ବଳି ଦେଇ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ଦ୍ୱିତୀୟ ପରମ୍ପରାର ଲୋକଙ୍କ ଚରିତ୍ର ସିକନ୍ଦରଙ୍କୁ ସହାୟତା କରିଥିବା ରାଜା ଅମ୍ବିଙ୍କ ଚରିତ୍ର ଭଳି। ବିଳାସମଗ୍ନ ମଗ୍ଧ ରାଜା ଧନାନନ୍ଦଙ୍କର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଉଦାସୀନ ମନୋଭାବ ମଧ୍ୟ ଏହି ପରମ୍ପରା ଧାରାର ଆଦିସ୍ରୋତ। ଏହି ଧାରା ବିଦେଶୀ ଆକ୍ରମଣକାରୀଙ୍କୁ ସହଯୋଗ କରି ଭାରତୀୟତାର ରକ୍ଷକ ଶକ୍ତିର ବିନାଶକ ସାଜି ଶାସନ ସୁଖ ଭୋଗ କରିବାର ଲାଳସା ରଖିଥାନ୍ତି। ମହମ୍ମଦ ଘୋରୀଙ୍କୁ ଜୟଚନ୍ଦ୍ରଙ୍କ ସହାୟତା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜା ମାନସିଂହ ଏବଂ ତୋଡରମଲ ଆଦି ଆକବରଙ୍କୁ ଶକ୍ତିମାନ କରିବାରେ ସହାୟତା କରିଥିଲେ ଓ ମେୱାରର ପରାଭାବର କାରଣ ହୋଇଥିଲେ। ଶିବାଜୀଙ୍କ ସମୟରେ ରାଜା ଜୟସିଂହ ମଧ୍ୟ ଏହି ପରମ୍ପରାର ଧ୍ୱଜବାହକ ଥିଲେ। ଆଉରଙ୍ଗଜେବ ନିର୍ଦ୍ଧନ ହିନ୍ଦୁମାନଙ୍କ ଉପରେ ଜିଜିଆ କର ଲଗାଇଥିଲେ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ। ମନ୍ଦିର ଭାଙ୍ଗିବା ପାଇଁ ଆଇନ କରୁଥିଲେ। ଏପରିକି ଭାରତୀୟ ପରମ୍ପରାକୁ ଧ୍ୱଂସ କରିବାର ଉଦ୍ୟମ କରୁଥିଲେ ମଧ୍ୟ ଜୟସିଂହ ଦୁଃଖ କରୁନଥିଲେ। ଜୟସିଂହ ନିଜ ଗାଦି ପାଇଁ ଅନ୍ୟ ଧର୍ମ ଉପରେ ଆକ୍ରମଣକୁ ସହି ଯାଉଥିଲେ। ଭାରତର ପ୍ରାୟତଃ ରାଜାମାନେ ମୋଗଲମାନଙ୍କର ଦାସତ୍ୱ ସ୍ୱୀକାର କରି ଶକ୍ତିହୀନ ହୋଇପଡିଥିଲେ। ପରେ ଇଂରେଜମାନଙ୍କ ଦାସତ୍ୱ ମଧ୍ୟ ସ୍ୱୀକାର କରି ରାଜ୍ୟ ଶାସନ କରୁଥିଲେ। ଗାନ୍ଧୀ ନେହେରୁଙ୍କ କଂଗ୍ରେସ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ ଆରମ୍ଭ କରିଥିଲେ ମଧ୍ୟ ଅନେକ ସମୟରେ ଇଂରେଜମାନଙ୍କୁ ସହଯୋଗ କରୁଥିଲା। ଭାରତୀୟମାନଙ୍କୁ ଅହିଂସାର ପାଠ ପଢାଇଥିବା କଂଗ୍ରେସର କେହି ନେତା ଇଂରେଜମାନଙ୍କ ଦ୍ୱାରା ଫାଶୀଦଣ୍ଡ ପାଇ ନାହାଁନ୍ତି। ମାନିସିଂହ ଏବଂ ଜୟସିଂହ ପରମ୍ପରାର ଏହି ନେତାମାନେ ଶାସନ ଗାଦିରେ ବସିବାର ମୋହରେ ଦେଶର ବିଭାଜନକୁ ମଧ୍ୟ ସ୍ୱୀକାର କରି ନେଇଥିଲେ। ଗୋଟିଏ ପଟେ ଦିଲୀ ଭାରତର ସ୍ୱାଧୀନତାର ଉତ୍ସବ ପାଳନ କରୁଥିବାବେଳେ ଅନ୍ୟପଟେ ପାକିସ୍ଥାନରେ ତୃତୀୟ ପରମ୍ପରାର ଲୋକେ ତାଣ୍ଡବ ସୃଷ୍ଟି କରି ହିନ୍ଦୁ ଓ ଶିଖ୍ ମାନଙ୍କର ସଂହାର କରୁଥିଲେ। ହେଲେ ଦ୍ୱିତୀୟ ଧାରା ପରମ୍ପରାର ଲୋକେ ପୀଡିତ – ବିସ୍ଥାପିତ ମାନଙ୍କର ଦୁର୍ଦ୍ଦଶା ପାଇଁ ସେହିମାନଙ୍କୁ ଦାୟୀ କରି ଗାଦି ମଜଭୁତ କରିବାରେ ବ୍ୟସ୍ତ ଥିଲେ। ପରବର୍ତ୍ତୀ ସମୟରେ ଦେଶରେ ଏଭଳି ଧାରାର ଅନେକ ରାଜନୈତିକ ଦଳ ଉଭା ହୋଇଛନ୍ତି। ଏମାନଙ୍କ ସଫଳତା ସହ ତାଳ ମିଳାଇ ତୃତୀୟ ଧାରାର ଆକ୍ରମକତା ବଢିଯାଇଛି। ଭାରତର ମୂଳ ସଂସ୍କୃତି ଏବେ ସଙ୍କଟରେ। ପଶ୍ଚିମବଙ୍ଗର ପରିସ୍ଥିତିରୁ ଏକଥା ସ୍ପଷ୍ଟ।

ମହମ୍ମଦ ଗଜନୀ ଓ ମହମ୍ମଦ ଘୋରୀଙ୍କ ଆକ୍ରାମକ, ହିଂସକ ଏବଂ ସର୍ବଗ୍ରାହୀ ତୃତୀୟ ଧାରାର ବିକାଶ ଆଲ୍ଲାଉଦ୍ଦିନ ଖିଲିଜ୍‌, ବାବର, ଆକବର, ଆଉରଙ୍ଗଜେବ ଆଦିଙ୍କ ଶାସନ କାଳରୁ ଘଟିଛି। ସେମାନଙ୍କର ଇଚ୍ଛା ଭାରତ ବର୍ଷର ସମସ୍ତ ଚିନ୍ତନ-ଦର୍ଶନ, ଜ୍ଞାନ-ବିଜ୍ଞାନ, ମଠ ମନ୍ଦିର ଏବଂ ସାମାଜିକ ସାଂସ୍କୃତିକ ରୀତିନୀତିକୁ ସମାପ୍ତ କରିବା। ତୃତୀୟ ଧାରାର ଏହି ଲୋକମାନେ ଦ୍ୱିତୀୟ ଧାରାର ସହଯୋଗରେ ପରମ୍ପରାକୁ ନଷ୍ଟ କରିବା ସହ ସାରା ଦେଶରେ ନିଜର ସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଅଛନ୍ତି। ୭୦୦ରୁ ୮୦୦ବର୍ଷକାଳ ଏହି ଧାରାର ଶାସକମାନେ ଭାରତ ବର୍ଷକୁ ଶାସନ କରିଛନ୍ତି ଏପରିକି ଇଂରେଜଶାସନ ବେଳେ ଏହି ଧାରାର କେତେକ ନେତା ବ୍ରିଟିଶ ଶାସନକୁ ପ୍ରଭାବିତ କରିପାରିଥିଲେ। ଖିଲାପତ ଆନ୍ଦୋଳନ ସମୟରେ ମାଲାବାରରେ ମୋପଲା ମାନଙ୍କର ପୈଶାଚିକ ପଶୁତା, ନୂଆଖାଲିରେ ଭୀଷଣ ନରସିଂହାର ଆଦି ଘଟଣା ଏହାର ଉଦାହରଣ। ସ୍ୱାଧୀନତା ପ୍ରାପ୍ତି ସମୟରେ ଏହି ଧାରାର ନେତା ଦେଶକୁ ବିଭାଜନ କରି ନିଜର ଦୁରାଭିଳାଷ ପୂରଣ କରିଥିଲେ। ଦୁର୍ଭାଗ୍ୟର କଥା ଯେ ଦ୍ୱିତୀୟ ପରମ୍ପରାର ନେତା ଏବଂ ସେମାନଙ୍କ ସମର୍ଥକମାନେ ତୃତୀୟ ପରମ୍ପରାର ଅମାନବୀୟ ସ୍ୱରୂପ ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ରହୁଛନ୍ତି। ତୃତୀୟ ପରମ୍ପରାରେ ଜନ୍ମ ନେଇଥିବା ହୁମାୟୁନ ଏବଂ ଦାରାସିକାଙ୍କ ଭଳି ଉଦାର, ବିଚାରଶୀଳ ଏବଂ ସହ ଅସ୍ତିତ୍ୱରେ ବିଶ୍ୱାସୀ ଇତିହାସ ପୁରୁଷଙ୍କ ନାମ ମଧ୍ୟ ଏହି ତୃତୀୟ ଧାରାର ନେତାମାନେ ତୁଣ୍ଡରେ ଧରୁନାହାଁନ୍ତି। ରହିମ୍‌, ରସଖାନ, ନଜିର ଅକବରାବାଦୀ ଏବଂ ଅକବର ଇହ୍ଲାବାଦୀଙ୍କ ଭଳି ସମନ୍ୱୟକାରୀ କବି ଏମାନଙ୍କର ଗ୍ରହଣୀୟ ନୁହଁନ୍ତି। ତୃତୀୟଧାରାର କଠୋରତାକୁ ପ୍ରୋତ୍ସାହିତ କରୁଥିବା ଉଲେମା ଇକବାଲ ଏମାନଙ୍କର ନମସ୍ୟ। ସତ୍ୟ ହେଉଛି ତୃତୀୟ ଧାରାର ଆକ୍ରାମକ ମାନସିକତା ଅଧିକରୁ ଅଧିକ ଉଗ୍ର ହେଉଛି। ଅରବିନ୍ଦ କେଜରିୱାଲ ଶାସନକୁ ଆସିବା ମାତ୍ରେ ଦିଲ୍ଲୀରେ ଘଟିଥିବା ଦଙ୍ଗା ଏବଂ ବର୍ତ୍ତମାନର ପଶ୍ଚିମବଙ୍ଗର ଅବସ୍ଥାରୁ ଏକଥା ସ୍ପଷ୍ଟ ବୋଲି ଅନେକଙ୍କ ମତ।

ତୃତୀୟ ଧାରାର ଆକ୍ରମକତା ବିରୁଦ୍ଧରେ ଲଢେଇ ଜାରି ରଖିଛି ପ୍ରଥମ ଧାରା। କିନ୍ତୁ ଦ୍ୱିତୀୟ ଧାରାର ସହଯୋଗ ବିନା ପ୍ରଥମ ଧାରାକୁ ସଫଳତା ମିଳିବା ଅସମ୍ଭବ। ଏବେ ଭାରତର ଜନସାଧାରଣ କାହାକୁ ସମର୍ଥନ କରିବେ ସେ କଥା ସେମାନେ ହିଁ ସ୍ଥିର କରିବେ। ଆମ ପୂର୍ବଜମାନଙ୍କ ତ୍ରୁଟି ପାଇଁ ଭାରତର ଏକ ବଡ଼ ଭୂଖଣ୍ଡ ଆଫଗାନିସ୍ଥାନ, ପାକିସ୍ଥାନ ଓ ବଙ୍ଗଳାଦେଶ ହୋଇସାରିଛି। କାଶ୍ମୀରର ସିଂହଭାଗ ପାକିସ୍ଥାନ କବଜାରେ। କିଛି ଅଂଶ ମଧ୍ୟ ଚୀନ ମାଡିବସିଛି। ଏବେ ନେତାମାନେ ଚେତିବା ଆବଶ୍ୟକ। ନହେଲେ ଏହି ଶତାବ୍ଦୀ ଶେଷ ସୁଦ୍ଧା ଭାରତ ବର୍ଷ ୟୁନାନ, ରୋମ ଏବଂ ମିଶରର ପ୍ରାଚୀନ ସଭ୍ୟତା ଭଳି ଐତିହାସିକ ଅଧ୍ୟୟନର ବିଷୟ ପାଲଟିଯିବ। ଏଣୁ ବେଳହୁଁ ସାବଧାନ ହେବା ଜରୁରୀ।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button