ସାମାଜିକ ଦୂରତା ବଜାୟ ପାଇଁ ଓଡ଼ିଆ ଉଦ୍ୟୋଗୀ ଅରୁଣ ବିକଶିତ କଲେ ଆପ୍‌

ଲଣ୍ଡନ : ସମଗ୍ର ବିଶ୍ଵରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ଉପରେ ପ୍ରତ୍ୟେକ ଦେଉଛନ୍ତି ଗୁରୁତ୍ଵ। ତେବେ ଅସାବଧାନତା କାରଣରୁ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେଉନାହିଁ। ଏପରିସ୍ଥଳେ ବିଟ୍ରେନ୍‌ରେ ଏକ୍ସପର୍ଟନେଷ୍ଟ କମ୍ପାନୀ ପ୍ରତିଷ୍ଠା କରିଥିବା ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଏକ ସ୍ଵତନ୍ତ୍ର ଆପ୍ ବିକଶିତ କରିଛନ୍ତି। ବିସିପି ବିଚ୍ ଚେକ୍ ଆପ୍ ନାମକ ଏହି ଆପ୍ ୟୁଜରଙ୍କୁ ଜନଗହଳି ଥିବା ସ୍ଥାନ ସମ୍ପର୍କରେ ମ୍ୟାପ୍ ଦ୍ୱାରା ଜଣାଇବ। ଫଳରେ କରୋନା ସଙ୍କଟ ସମୟରେ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସକ୍ଷମ ହୋଇପାରିବେ ବୋଲି ଡିଜିଟାଲ ଇନୋଭେଶନ କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅରୁଣ କହିଛନ୍ତି।

ସେ କହିଛନ୍ତି ସାଧାରଣତଃ ଜୁନ୍‌ଠାରୁ ବିଟ୍ରେନ୍‌ର ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥାଏ। ବହୁ ପର୍ଯ୍ୟଟକ ଏହି ସମୟରେ ସମୁଦ୍ର କୂଳିଆ ସ୍ଥାନ ବୋର୍ଣ୍ଣମାଉଥ୍‌, ଖ୍ରୀଷ୍ଟଚର୍ଚ୍ଚ ଓ ପୋଲେ ଟୁରିଜିମ୍‌ରେ ଏକାଠି ହୋଇଥାନ୍ତି। କିନ୍ତୁ ଏବେ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବାକୁ ସାମାଜିକ ଦୂରତା ପାଳନ ଅପରିହାର୍ଯ୍ୟ ହୋଇଥିବାରୁ ବିସିପି ବିଚ୍ ଚେକ୍ ଆପ୍‌କୁ ଏସବୁ ସ୍ଥାନରେ ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ୟୁଜର ସଚେତନ ହେବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସକ୍ଷମ ହୋଇପାରିବେ।

ଏହି ଆପ୍‌କୁ ୟୁଜର ଗୁଗଲ ପ୍ଲେ ଷ୍ଟୋର୍ ଓ ଆପଲ ଆପ୍ ଷ୍ଟୋର୍‌ରୁ ସହଜରେ ଡାଉନଲୋଡ୍ କରିହେବ। ଆପ୍ ଉପରେ କ୍ଲିକ୍ କଲେ ଏହା ଓପନ ହୋଇ ମ୍ୟାପ୍ ସହାୟତାରେ କେଉଁ ସମୁଦ୍ର କୂଳରେ ଜନଗହଳି ଅଧିକ ରହିଛି ସେ ସମ୍ପର୍କରେ ତତ୍‌କ୍ଷଣାତ୍ ସୂଚନା ଦେବାକୁ ସକ୍ଷମ ହୋଇ ପାରୁଛି। ସିଫ୍ରଂଟ୍ ରେଞ୍ଜର, ସିସିଟିଭି ଓ କିଛି ଫୁଟ୍‌ଫଲ୍ କାଉଂଟରରୁ ଏହି ଆପ୍ ଡାଟା ସଂଗ୍ରହ କରିଥାଏ ବୋଲି ବିସିପି କାଉନସିଲ୍‌ର ଲିଡର ଭିକ୍କି ସ୍ଲେଡ୍ ସୂଚନା ଦେଇଛନ୍ତି। ଏହି ଆପ୍‌ରେ ଫିଡ୍ ବ୍ୟାକ୍ ଅପଶନ୍ ମଧ୍ୟ ରହିଛି। ଏହାଦ୍ୱାରା ୟୁଜର ଆପ୍ ସମ୍ପର୍କରେ ନିଜର ମତାମତ ନିର୍ମାତାଙ୍କୁ ଅବଗତ କରାଇପାରିବେ। ଏହି ଆପ୍ ଏବେ ଅରୁଣଙ୍କ ପାଇଁ ପୃଥିବୀରେ ପରିଚିତି ଆଣିଦେଇଛି। ସୂଚନାଯୋଗ୍ୟ ଭାରତୀୟ ସେନାରୁ ଅବସର ନେଇଥିବା ଅରୁଣ ଆଇଆଇଏମ୍ ବେଙ୍ଗାଲୁରୁର ଜଣେ ପୂର୍ବତନ ଛାତ୍ର। ସେ ଫୋର୍ବସ୍ ବିଜନେସ୍ କାଉନସିଲ୍‌ର ଜଣେ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ମତାମତ ଦିଅନ୍ତୁ ।