ସମ୍ବଲପୁରରେ ସେକ୍ସ ରାକେଟ୍ : ୯ ଯୁବତୀ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ସହରରେ ପୋଲିସ ଚଢଉ କରି ୪ଟି ସ୍ଥାନରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି। ଏହି ଘଟଣାରେ ପୋଲିସ ଜଣେ ନାବାଳିକାଙ୍କ ସମେତ ୯ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ରାଣୀ ମହୁମାଛି ଓ ଘର ମାଲିକଙ୍କୁ ମିଶାଇ ୮ ଜଣଙ୍କୁ ଗିରଫ କରିଛି। ଏନେଇ ଧନୁପାଲିରେ ୨ଟି, ଟାଉନ୍ ଥାନା ଗୋଟିଏ ଓ ଅଇଁଠାପାଲି ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି।
ଖବର ଅନୁଯାୟୀ ଟାଉନ୍ ଥାନା ଅନ୍ତର୍ଗତ ମାଳୀପଡ଼ାରେ ଚାଲିଥିବା ସେକ୍ସ ରାକେଟ୍ରୁ ପୋଲିସ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା, ଭଦ୍ରକର ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ରହିଛନ୍ତି। ଏହାଛଡା ଦଲାଲ୍ ଓ ଜଣେ ଗ୍ରାହକକୁ ଗିରଫ ହୋଇଛନ୍ତି। ଦଲାଲ୍ଜଣଙ୍କ ନିଜକୁ ରେଳବାଇ କର୍ମଚାରୀ ବୋଲି ପରିଚୟ ଦେଇ ଦୀର୍ଘବର୍ଷ ହେବ ଭଡ଼ାରେ ରହୁଥିଲେ।
ସେହିପରି ଅଇଁଠାପାଲି ଥାନା ଅନୁଗୁଳିଆ ପଡ଼ାରୁ ପୋଲିସ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦଲାଲ୍ ସମେତ ୨ ଜଣଙ୍କୁ ଗିରଫ କରିଛି। ଯୁବତୀମାନେ କୋଲକାତାରୁ ଆସିଥିଲେ। ଧନୁପାଲି ଥାନା ପୁଟିବନ୍ଧରେ ହୋଇଥିବା ଚଢ଼ଉରେ ଜଣେ ନାବାଳିକା ଉଦ୍ଧାର ହୋଇଛି। ତାଙ୍କୁ ପ୍ରଲୋଭନ ଦେଖାଇ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଇଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ପକ୍ସୋ ଆଇନ୍ ଅନ୍ତର୍ଗତ ମାମଲା ରୁଜୁ କରି ଘର ମାଲିକ ଓ ଦଲାଲ୍କୁ ଗିରଫ କରିଛି।
ଧନୁପାଲି ଥାନା ଅନ୍ତର୍ଗତ ସରଲାକାନିରୁ ୨ ଯୁବତୀ ଉଦ୍ଧାର ହୋଇଥିବା ବେଳେ ରାଣୀ ମହୁମାଛି ଓ ଘର ମାଲିକକୁ ଗିରଫ କରାଯାଇଛି। ଆହୁରି ଜଣାପଡିଛି କୋଲକାତା, କେନ୍ଦ୍ରାପଡ଼ା, ଭଦ୍ରକ ଓ ଝାରସୁଗୁଡ଼ାର ଯୁବତୀ ମାନଙ୍କୁ ଦିନକ ପାଇଁ ସମ୍ବଲପୁରକୁ ଅଣାଯାଉଥିଲା। ଘଣ୍ଟାକ ହିସାବରେ ଟଙ୍କା ଦେବାକୁ କୁହାଯାଇଥିଲା। ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ହ୍ୱାଟ୍ସ ଆପ୍ ଯୋଗେ ଯୁବତୀଙ୍କୁ ଚିହ୍ନଟ କରାଯାଉଥିଲା ବୋଲି ପୋଲିସ କହିଛି।