ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଂଜାମରେ ପ୍ରସ୍ତୁତି ବୈଠକ

ଛତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ଠାରୁ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜରୁରୀ ବୈଠକ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟରରେ ରହିବେ। କେହି ହେଡକ୍ୱାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ‘ତିତିଲି’ ପରିସ୍ଥିତିର ପୂନରାବୃତି ହୋଇପାରେ। ପବନ ନୁହେଁ ଜଳବୃଦ୍ଧି ଭୟ ରହିଛି। ତେଣୁ ଖାଲୁଆ ଅଞ୍ଚଳରେ କଚ୍ଚା ଘରେ, ବହୁ ପୂରାତନ କୋଠା ଓ ବିପଦ ସଙ୍କୁଳ ଘରେ ରହୁଥିବା ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ଉଚ୍ଚ ସ୍ଥାନ, ବାତ୍ୟା ଆଶ୍ରୟ ସ୍ଥଳ, ସୁରକ୍ଷିତ ସ୍କୁଲ ଗୃହ ଇତ୍ୟାଦିରେ ରଖାଯିବ। ଲୋକଙ୍କୁ ସ୍ଥାନାନ୍ତରିତ ଓ ସେମାନଙ୍କର ରହିବା ବ୍ୟବସ୍ଥାରେ କୋଭିଡ୍‌ ନିୟମ ଯେପରି ପାଳନ ହେବ। ସେ ଦିଗରେ ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ଏହାଛଡା ମାଇକ୍‌ ଦ୍ଵାରା ପ୍ରଚାର କରି ସ୍ଥାନାନ୍ତର ପାଇଁ ଯୋଜନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଲୋକଙ୍କ ଘରେ ରଖାଯାଇଥିବା ଖାଦ୍ୟ ଓ ବସ୍ତ୍ର ଗୁଡିକୁ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେ ରଖାଯିବ। ପୂର୍ବ ପରିସ୍ଥିତି ଫେରିଲା ପରେ ସେମାନେ ସେମାନଙ୍କ ସାମଗ୍ରୀ ଧରି ନିଜ ଗୃହକୁ ଫେରିବେ। ସେମାନଙ୍କ ରହିବା ସ୍ଥାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। କୌଣସି ଅଞ୍ଚଳ ବିଚ୍ଛିନ୍ନ ହେବା ପରେ ସେଠାରେ କୌଣସି ସାମଗ୍ରୀ ପହଞ୍ଚି ପାରିବ ନାହିଁ। ପୂର୍ବ ପ୍ରସ୍ତୁତି କରି ଏସବୁ ରଖିବାପାଇଁ ଜଣାଇ ଦିଆଯାଇଛି।

ମତାମତ ଦିଅନ୍ତୁ ।