ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଓ ମୁଣ୍ଡାରି ଭାଷାକୁ ସାମିଲ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ବିଜେଡି ଦାବି କରିବ

ଭୁବନେଶ୍ୱର : ଆଦିବାସୀମାନେ ବହୁଳ ବ୍ୟବହାର କରୁଥିବା ଭାଷା ହୋ ଓ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ଦାବି କରିଛି।
ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ xବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ଦଳର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର କହିଛନ୍ତି ଗୋଟିଏ ଜାତିର ପରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବା ବେଳେ ୧୩ ପ୍ରକାରର ବିଲୁପ୍ତପ୍ରାୟ ଜନଜାତିଙ୍କ ସହିତ ମୋଟ୍ ୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି। ହୋ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି। ସମ୍ବିଧାନରେ ସାମିଲ ହୋଇଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାର ଆଦିବାସୀଙ୍କ ପ୍ରଚଳିତ ଦ୍ୱିତୀୟ ବୃହତ୍ ଭାଷା। ସେହିପରି ମୁଣ୍ଡା ଓ ମୁଣ୍ଡାରୀ ଆଦିବାସୀ ସମ୍ପ୍ରଦାୟର ୬ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରନ୍ତି। ଓଡିଶାରେ ବ୍ୟବହୃତ କେତେକ ଆଦିବାସୀ ଭାଷା ରହିଛି ଯାହା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଯୋଗ୍ୟ। ତେଣୁ ଏହି ହୋ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ବିଜେଡି ଦୃଢ ଦାବି କରିଛି।
ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ ଜାରି ରହିଛି। ସାଢେ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି। ଏହା ହେଉଛି କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା। ରାଜନୈତିକ ଦଳ ନିର୍ବାଚନ ଇସ୍ତାହାରରେ ଏହାକୁ ଉଲ୍ଲେଖ କରିଥିଲେ ମଧ୍ୟ କରାଯାଇନି। ଏଥିପାଇଁ ହୋଇଥିବା ବିଶେଷଜ୍ଞ କମିଟି ରିପୋର୍ଟ ଦେଇସାରିଛି। ସାମ୍ବିଧାନିକ ପ୍ରକ୍ରିୟା ଆମେ ସବୁ ସାରିଛୁ। ଆମେ ନେଇ ରାଷ୍ଟ୍ରପତିଙ୍କୁ ଭେଟିବୁ।
ବିଧାୟିକା ଶ୍ରୀମତୀ ହେମ୍ବ୍ରମ କହିଲେ ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି। ଏହାକୁ ମାନ୍ୟତା ନ ମିଳିଲେ ଆଗାମୀ ଦିନରେ ଏହା ଲୋପ ପାଇଯିବ। ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଲେ ୭୫ ଲକ୍ଷ ଲୋକ କୋଶଳୀ ଭାଷା କହନ୍ତି। ଏହି ଭାଷାରେ ରାମାୟଣ, ମହାଭାରତ ରଚନା କରାଯାଇଛି। ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ। ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ। ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି। ସେମାନେ ଏହି କଥା ସଂସଦରେ ଉଠେଇଲେ ରାଜ୍ୟବାସୀ ଧନ୍ୟ ହେବେ।