ସମ୍ପର୍କ ଭାଙ୍ଗିବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର : ପ୍ରେମିକାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଥାନା ପୋଲିସ ପବିତ୍ର ମୋହନ ମହନ୍ତ ନାମକ ପ୍ରେମିକକୁ ଗିରଫ କରିଛି। ପୁଲିସ । ତାଙ୍କ ଘର କେନ୍ଦୁଝରପାଟଣା। ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହୁଥିଲେ।
ଖବର ଅନୁଯାୟୀ ପୋଖରୀପୁଟର ଏକ ବେକରି ଦୋକାନରେ କାମ କରୁଥିବା ଯୁବତୀଙ୍କ ସହିତ ପବିତ୍ରଙ୍କର ପ୍ରେମ ସଂପର୍କ ଥିଲା। କିନ୍ତୁ ଯୁବତୀ ଜଣଙ୍କ କୌଣସି କାରଣରୁ ପବିତ୍ରଙ୍କ ସହ ସଂପର୍କ ତୁଟାଇ ଦେଇଥିଲେ। ହେଲେ ପବିତ୍ର ତାଙ୍କ ପଛରେ ପଡ଼ିବାରୁ ସେ ଦୁରେଇ ରହୁଥିଲେ।
ଗତ ୧୬ ତାରିଖ ଅପରାହ୍ଣରେ ଯୁବତୀ ଜଣଙ୍କ ବେକରି ଦୋକାନରେ ଏକୁଟିଆ ଥିବାବେଳେ ପବିତ୍ର ଏକ ଧାରୁଆ ଅସ୍ତ୍ର ନେଇ ସେଠାରେ ପହଞ୍ଚି ଗାଳିଗୁଲଜ କରିବା ସହିତ ଯୁବତୀଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲେ। ଦୋକାନରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଥିଲେ। ଅନ୍ୟ ଦୋକାନୀମାନେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ଯୁବତୀ ଫେରିବା ପରେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବାରୁ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ପୋଲିସ ପବିତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।