ସାମୁହିକ ଶ୍ରୀ ନବରାତ୍ରି ପୂଜାରେ ମା ଶୈଳପୁତ୍ରୀ

ଭୁବନେଶ୍ୱର : ଆଜି ଅପରାହ୍ନରେ ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ନବରାତ୍ରି ପୂଜାର ପ୍ରଥମ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ବିଶିଷ୍ଟ ପ୍ରବଚକ ପୂଜ୍ୟ କମଳ ଲୋଚନ ମହାରାଜ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଥମେ ନବରାତ୍ରୀର ଶ୍ରୀ ଚଣ୍ଡୀ ମହାଯଜ୍ଞକୁ ଉଦ୍‌ଘାଟନ କରିଥିଲେ।

ଶ୍ରୀ ସୀତରାମ ବାବା, ଓ.ଆଇ.ସି. ଅଧ୍ୟକ୍ଷ ପରେଶ ନାୟକ, ଆଖଣ୍ଡଳମଣି ମନ୍ଦିର ମୁଖ୍ୟ ଦୋରା ବାବୁ ପ୍ରମୁଖ ଅତିଥି ହିସାବରେ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିଲେ। ପୂଜ୍ୟ କମଳଲୋଚନଙ୍କର ଏହି ନବରାତ୍ରୀ ପୂଜା ପ୍ରଥମେ ପ୍ରଭୁ ଶ୍ରୀରାମ ଆରମ୍ଭ କରିଥିବା କହିଥିଲେ। ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ପକ୍ଷରୁ ୨୦୦୬ ମସିହାଠାରୁ ଏହି ଯଜ୍ଞ ଅବିରତ ଭାବେ ଚାଲିଆସିଅଛି। ଏହି ପୂଜାରେ ପ୍ରଥମ ତିନିଟି ମା’ ସରସ୍ୱତୀଙ୍କ ପୂଜା କରାଯାଏ । ଆମ ସମାଜ ଜ୍ଞାନପିପାସୁ ତେଣୁ ମା’ ସରସ୍ୱତୀଙ୍କ ଆଶୀର୍ବାଦରେ ସମସ୍ତଙ୍କର ଜ୍ଞାନ ବର୍ଦ୍ଧନ ହେଉ ବୋଲି ପୂଜାରେ ପ୍ରାର୍ଥନା କରାଯାଏ ।

ଦ୍ୱିତୀୟ ତିନିଟି ମା’ ଲକ୍ଷ୍ମୀଙ୍କର ପୂଜା କରାଯାଏ । ମା’ ଲକ୍ଷ୍ମୀ ଧନର ପ୍ରତୀକ । ବର୍ତ୍ତମାନ ସମୟରେ ଅର୍ଥର ଆବଶ୍ୟକତା ବଞ୍ଚିବା ପାଇଁ ଅତି ଜରୁରୀ । ତେଣୁ ଦ୍ୱିତୀୟ ତିନିଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଏ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତ ସାଂସାରିକ ବ୍ୟକ୍ତିମାନଙ୍କୁ ଧନଧାନ୍ୟରେ ପରିପୂର୍ଣ୍ଣ କରିବା ପାଇଁ ମା’ଙ୍କୁ ପ୍ରାର୍ଥନା କରାଯାଏ । ତୃତୀୟ ତିନିଦିନ ମା’ କାଳୀଙ୍କର ପୂଜା କରାଯାଏ । ମା’ କାଳୀ ମହାଶକ୍ତିର ପ୍ରତୀକ । ସମାଜରେ ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ରୋକିବା ପାଇଁ ମା’ଙ୍କ ପାଖରେ ଏହି ତିନିଦିନ ପ୍ରାର୍ଥନା କରାଯାଏ । ନବରାତ୍ରୀ ପୂଜାରେ ଭକ୍ତମାନେ ଫଳ ଆହାର କରି ମା’ଙ୍କୁ ପ୍ରାର୍ଥନା କରିଥାଆନ୍ତି । ଏହି ସମୟରେ ପୂଜା କରୁଥିବା ଭକ୍ତମାନଙ୍କୁ ବିଶେଷ ଦୈବୀକୃପା ହୋଇଥାଏ । ଓଡ଼ିଶାରେ ସାମୂହିକ ନବରାତ୍ରୀ ପାଳନ କରିବାରେ ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ଅଗ୍ରଣୀ ଅନୁଷ୍ଠାନ । ଏହି ପୂଜାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ଯୋଗ ଦେଇଥାଆନ୍ତି ।

ଏବର୍ଷ କରୋନା କାରଣରୁ ସରକାରୀ ନିୟମ ମାନି ବହୁ କମ୍ ସଂଖ୍ୟକ ଭକ୍ତମାନଙ୍କୁ ନେଇ ପୂଜା କରାଯାଉଛି । ମହାଷ୍ଟମୀ ଦିନ ମା’ଙ୍କୁ ବଳି ପ୍ରଦାନ କରାଯିବ । ମହାନବମୀ ଦିନ ୯ଟି କୁମାରୀ କନ୍ୟାଙ୍କୁ ଦେବୀ ରୂପରେ ସଜାଯାଇ ପୂଜା କରାଯିବ । ଏହି ପୂଜାରେ ଭାଗ ନେଉଥିବା ବ୍ୟକ୍ତିମାନଙ୍କ ପରିବାର ସୁଖମୟ ହୁଏ ବୋଲି ପୌରାଣିକ ମତବାଦ ଅଛି । ଦଶହରା ଦିନ ଦେବୀଙ୍କର ଅପରାଜିତା ପୂଜା ଅନୁଷ୍ଠିତ ହୁଏ । ବ୍ୟକ୍ତିମାନଙ୍କୁ ଅଭୟ ପ୍ରଦାନ କରିବା ପାଇଁ ଏହି ପୂଜାର ମୂଳ ଉଦ୍ଦେଶ୍ୟ । ଆଜି ଉଦ୍‌ଘାଟନ ଉତ୍ସବର ପରିଚାଳନା କରିଥିଲେ ଉପସଭାପତି ଶ୍ରୀ ଜୟପ୍ରକାଶ ମିଶ୍ର । ମା ଶୈଳପୁତ୍ରୀଙ୍କ ପୂଜାର କର୍ତ୍ତା ଭାବରେ ଶ୍ରୀ ସତ୍ୟସୁନ୍ଦର ପଣ୍ଡା ଓ ତାଙ୍କର ଧର୍ମପତ୍ନୀ ଯୋଗ ଦେଇଥିଲେ ।

ମତାମତ ଦିଅନ୍ତୁ ।