ସାନା ଭଉଣୀକୁ ବଞ୍ଚାଇବାକୁ ଯାଇ ନଦୀରେ ଭାସିଗଲା ବଡ ଭଉଣୀ

ଦଶପଲ୍ଲା : ଖୁଦୁରୁକୁଣୀ ଓଷା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବା ୧୩ ବର୍ଷର ନାବାଳିକା ଶ୍ରଦ୍ଧାଞଳୀ ମାଝି ଓରଫ ଖୁସୀ ପ୍ରାଣ ହରାଇଛି। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ମରଣ ମୁହଁକୁ ଠେଲି ହୋଇଯାଇଛି ବଡ ଭଉଣୀ। ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଂଚାୟତର ବୁରୁସାହି (ଜଡାତଇଳା) ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଖବର ଅନୁଯାୟୀ ଆଜି ପୂର୍ବାହ୍ନରେ ଗ୍ରାମର ୭ ଜଣ ଝିଅ ଗାଧୋଇ ପୂଜା କରିବା ପାଇଁ ବୃତଙ୍ଗ ନଦୀକୁ ଯାଇଥିଲେ। ଏହି ସମୟରେ ପ୍ରମୋଦ ମାଝିଙ୍କ ସାନ ଝିଅ ଆରତୀ (ଲୁସି)ର ଗୋଡ ଖସି ଯିବାରୁ ଭାସି ଯାଇଥିବା ଦେଖି ତାକୁ ଉଦ୍ଧାର କରିବା ପାଇଁ ବଡ ଭଉଣୀ ଶ୍ରଦ୍ଧାଞଳୀ, ଜମୁନା ନାୟକ ଓ ଜିତା ସାହୁ ଜଣଙ୍କ ପରେ ଜଣେ ପାଣିକୁ ଡେଇଁଥିଲେ। ମାତ୍ର ସମସ୍ତେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ କିଛି ଆରତୀ, ଜମୁନା ଓ ଜିତାଙ୍କୁ ଉଦ୍ଧାର କରିଥିଲେ ହେଁ ଶ୍ରଦ୍ଧାଞଳୀଙ୍କ କୌଣସି ପତ୍ତା ମିଳି ନଥିଲା। ବୁରୁସାହି ଘାଟରୁ ପ୍ରାୟ ୩ କିମି ଭାସିଯିବା ପରେ ପେହେଲାଜୁ ଘାଟରୁ ସ୍ଥାନୀୟଲୋକେ ଓ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ମୁମୁର୍ଷୁ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ। ୧୦୮ ଯୋଗେ ଶ୍ରଦ୍ଧାଞଳୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଛନ୍ତି।

ଆରତୀ ଓ ଜମୁନାଙ୍କୁ ଅଚେତ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇ ଚିକିତ୍ସା କରାଯାଉଛି। ଦଶପଲ୍ଲା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ରୀ ଜଣଙ୍କ ୮ମ ଶେଣୀରେ ପଢୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।