ସାର ଅଧିକ ମୂଲ୍ୟରେ ବିକ୍ରି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥିପାଇଁ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଏଥିସହ
ସାରର ସୁଷମ ବଣ୍ଟନ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଚେତାଇ ଦେଇଛନ୍ତି ଅଧିକ ଦରରେ ସାର ବିକ୍ରୟ ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବୁଧବାର ଏକ ଭର୍ଚୁଆଲ୍‌ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ରାଜ୍ୟରେ ଖରିଫ୍‌ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମନ୍ତ୍ରୀ ଡ. ସାହୁ। ଏହି ଅବସରରେ ସେ କହିଲେ କୋଭିଡ୍‌-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି କ୍ଷେତ୍ର ଅଧିକାରୀମାନେ କ୍ରିୟାଶୀଳ ହେବା ଆବଶ୍ୟକ। ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନରହିବ ସେଥିପାଇଁ ସମବାୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଚାଷୀମାନଙ୍କୁ ଧାର୍ଯ୍ୟ ଦରଠାରୁ ଯେପରି ଅଧିକ ଦରରେ ସାର କିଣିବାକୁ ନପଡ଼େ ଦରକାର। ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷକାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ବେଳେ କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ନୋଡାଲ୍‌ ଅଧିକାରୀମାନେ ଯୋଗଦେଇଥିଲେ ।

ମତାମତ ଦିଅନ୍ତୁ ।